ଅଳଙ୍କାର ଦୋକାନର ସଟର ତାଡ଼ି ଚୋରି

ଖୋର୍ଦ୍ଧା: ଖୋର୍ଦ୍ଧା ଗୁରୁଜଙ୍ଗ ପତିତପାବନ ଛକ ନିକଟ ଏକ ସୁନା-ରୁପା ଅଳଙ୍କାର ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ସଟର ତାଡ଼ି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କରି ନେଇଛନ୍ତି ।

ସୂଚନାନୁସାରେ, ଗତକାଲି ପ୍ରାୟ ଭୋର ୩-୪ଟା ବେଳେ ପତିପବାନ ସୁନାଅଳଙ୍କାର ଦୋକାନର ସଟର ତାଡ଼ି ଦୁର୍ବୃତ୍ତ ଦୋକାନରେ ଥିବା କେତେକ ଅଳଙ୍କାର ନେଇଯାଇଛନ୍ତି । ତେବେ ଖବର ଲେଖାଯିବା ବେଳକୁ ଅଳଙ୍କାର ଦୋକାନର କେତେ ପରିମାଣର ଅଳଙ୍କାର ଚୋରି ହୋଇଛି ସେନେଇ ସ୍ପଷ୍ଟ ହୋଇନଥିବା ଜଣାପଡ଼ିଛି । ସକାଳୁ ଏନେଇ ଦୋକାନର ମାଲିକ ଶ୍ୟାମସୁନ୍ଦର ପଟ୍ଟନାୟକ ଦୋକାନର ସଟର ଭଙ୍ଗାଯାଇଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସଦଳବଳେ ଘଟଣା ସ୍ଥଳରେ ପହଂଚିଥିଲା । ପରେ ଫରେନ୍ସିକ୍ ଟିମ୍ ପହଂଚି ଅନୁସନ୍ଧାନ କରିଥିଲା । ଏନେଇ ଥାନା ଅଧିକାରୀ ସଂଜୟ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସିସିଟିଭି ଫୁଟେଜରେ ଅପରାଧିର ଫଟୋ ଧରାପଡ଼ିଛି । ଦୋକାନରୁ ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଅଧିକାଂଶ ରୁପା ଅଳଙ୍କାର ରହିଥିବା ବେଳେ ସୁନା ଅଳଙ୍କାର ସଂଖ୍ୟା ନଗଣ୍ୟ । କାରଣ ଦୋକାନୀ ଦୋକାନ ବନ୍ଦ କରିବା ବେଳେ ଘରକୁ ସୁନା ଅଳଙ୍କାର ନେଇ ଚାଲିଯା୍ନ୍ତି । ତେବେ ଚୋରି ହୋଇଥିବା ଅଳଙ୍କାରଗୁଡ଼ିକର ଆକଳନ ଚାଲିଥିବାରୁ ମୂଲ୍ୟ ସଠିକ ଜଣାପଡ଼ିନାହିଁ ।

ତେବେ ଏସ୍ଡିପିଓ ସୁଶୀଲ କୁମାର ମିଶ୍ର କହିଛନ୍ତି ଯେ ଏହି ଚୋରି କୌଣସି ପେଶାଦାର ଲୁଟେରାଙ୍କ ଦ୍ୱାରା କରାଯାଉଥିବା ଅନୁମାନ କରାଯାଉଛି । ସିସିଟିଭି ଫୁଟେଜ୍ରେ ସେମାନେ ହାତରେ ଗ୍ଲୋବ୍ ଆଦି ପିନ୍ଧିଥିଲେ । ସେମାନଙ୍କ ଅଳଙ୍କାର ସାଉଁଟିବା ଓ ହାବଭାବ ଦେଖି ସେମାନେ ଦୋକାନ ଉପରେ ବହୁ ପୂର୍ବରୁ ନଜର ରଖି ଯୋଜନା କରିଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର