ଫୁଲବାଣୀ: ଫୁଲବାଣୀ ସହରରୁ ଚୋରି ଡକାୟତି କମିବାର ନାଁଗନ୍ଧ ଧରୁ ନାହିଁ। ନିୟମିତ ଚୋରି ଡକାୟତି ଯୋଗୁଁ ସହରବାସୀ ଆଶା ଆଶଙ୍କାରେ ରହୁଥିବା ବେଳେ ପୁଲିସ ମାମଲାଟିଏ ରୁଜୁ କରି ତାର କାମ ସାରି ଦେଉଥିବା ଅଭିଯୋଗ ହେଉଛି। ଗତକାଲି ରାତିରେ ଜଗନ୍ନାଥମନ୍ଦିର ପାଖ ଏକ ସିମେଣ୍ଟ ଦୋକାନର ସ୍ଲାଏଲାଇଟ ଭାଙ୍ଗି ଚୋରମାନେ ପଶିଥିଲେ। ୨ ଲକ୍ଷ ଟଙ୍କା ସହ ସିସିଟିଭିର ମେସିନ ଧରି ପଳାଇ ଯାଇଥିଲେ। ଆଜି ସକାଳେ ଦୋକାନର ମାଲିକ ଶରତ ପଟ୍ଟନାୟକ ଏହା ଜାଣିବା ପରେ ଫୁଲବାଣୀ ଟାଉନ ପୁଲିସକୁ ଜଣାଇଥିଲେ। ପୁଲିସ ସନ୍ଧାନୀ କୁକୁର ସହ ପହଞ୍ଚି ଛାନଭିନ କରିଥିଲା। ହେଲେ ଚୋରଙ୍କ ଟେର ପାଇବାରେ ସଫଳ ହୋଇ ପାରି ନଥିଲା।
ଫୁଲବାଣୀ ସହରରେ ଦୀର୍ଘ ୬ ମାସ ହେଲା ବାରମ୍ବାର ଚୋରି ଓ ଡକାୟତି ହେଉଛି। ଲୁଟେରାମାନେ କେତେ ବେଳେ ଦିନରେ କାହାର ଟଙ୍କା ତ ଆଉ କାହାର ଗହଣା ବ୍ୟାଗ ନେଇ ପଳାଇ ଯାଉଛନ୍ତି। ରାତିରେ ଘର ଓ ଦୋକାନ ଭିତରେ ପଶି ଚୋରି ଓ ଲୁଟ କରି ସହଜରେ ପଳାଇ ଯାଉଛନ୍ତି। ଏହାକୁ ନେଇ ପୁଲିସର କାର୍ଯ୍ୟକଳାପ ସନ୍ଦେହ ଘେରରେ ରହୁଛି। ବାରମ୍ବାର ଚୋରି ଓ ଡକାୟତିକୁ ନେଇ ପୁଲିସର ଚେତା ପଶିଛି। ଚୋର ଓ ଡକାୟତଙ୍କୁ ଧରିବା ନିମନ୍ତେ ଆଜି ଫୁଲବାଣୀ ସହରର ମୁଖ୍ୟ ସ୍ଥାନମାନଙ୍କରେ ପୁଲିସ ସିସିଟିଭି କ୍ୟାମେରା ଲଗାଇବା ଆରମ୍ଭ କରିଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖ ଗୋପବନ୍ଧୁ ଛକ, ବସଷ୍ଟାଣ୍ଡ, ଏଫସିଆଇ, ଜଗନ୍ନାଥମନ୍ଦିର,ମାଦିକୁନ୍ଦା,କଲେଜ ଛକ,ଏସବିଆଇ ସ୍କୋୟାର ଏବଂ କୋର୍ଟ ଛକରେ ସିସିଟିଭି କ୍ୟାମେରା ଲଗାଯିବ। ଏସବୁ ସିସିଟିଭି କ୍ୟାମେରା ଟାଉନ ଥାନାରୁ ନିୟନ୍ତ୍ରଣ ହେବ ବୋଲି ପୁଲିସ କହିଛି। ଦେଖାଯାଉ ସିସିଟିଭି କ୍ୟାମେରା ଲାଗିବା ପରେ ଚୋରି ଡକାୟତି କରି ଫୁଲବାଣୀ ସହରବାସୀଙ୍କ ମନରେ ଆତଙ୍କ ଖେଳାଇ ଆସୁଥିବା ଚୋର ଡକାୟତଙ୍କୁ ପୁଲିସ ଧରିବାରେ କେତେ ସଫଳ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/plbfeb7-cctc-camera.jpg)