ରାୟଗଡା: ରାୟଗଡା ଜିଲ୍ଲା ସଦର ମହକୁମାରେ ଚୋର ଆତଙ୍କ ଦେଖାଦେଇଛି। ଯେଉଁଠୁ ପାରୁଛନ୍ତି ସେଠୁ ବୋହିବାରେ ଲାଗିଛନ୍ତି। ପୁରା କଳାକନା ବୁଲାଇ ଦେଉଛନ୍ତି। ଏହା ଦିନକର କାମ ନୁହେଁ ଦୀର୍ଘଦିନ ହେଲା ଚୋରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ପାଟ୍ରୋଲିଂ ବନ୍ଦ ପରେ ଚୋରଙ୍କୁ ମୌକା ମିଳିଛି। ଜନୈକ ପ୍ରଶାସନିକ ଅଧିକାରୀଙ୍କ ଘରୁ ଚୋରି କରି ଚୋରମାନେ ଫସିଯାଇଛନ୍ତି। ୫ଜଣଙ୍କୁ ଆଣି ପୁଲିସ ପଚରାଉଚରା ଜାରି ରଖିଛି।

Advertisment

ଶନିବାର ରାତିର ଘଟଣା। କସ୍ତୁରି ନଗର ଦ୍ବିତୀୟ ଗଳିରେ ରହୁଥିବା ପ୍ରସନ୍ନ କୁମାର ପାଢୀଙ୍କ ଘରେ ଚୋର ପଶି ଉତ୍ପାତ କରିଛନ୍ତି। ପ୍ରସନ୍ନ କୁମାର ପାଢୀ ମାଲକାନଗିରି ଡେପୁଟି କଲେକ୍ଟର ଅଛନ୍ତି। ରାୟଗଡାସ୍ଥିତ ଘରେ ତାଂକ ସ୍ତ୍ରୀ ଏବଂ ଝିଅ ରହନ୍ତି। ତେବେ ଘର ପଛପଟ ଝରକା ଭାଙ୍ଗି ଘରେ ପଶି ବିଭିନ୍ନ ଜିନିଷ ଫିଙ୍ଗାଫପଡା କରି ଟଂକା, ରୂପା ଏବଂ ଅନ୍ୟ ଦାମୀ ଜିନିଷ ଚୋରି କରି ନେଇଯାଇଛନ୍ତି। ତେବେ ପ୍ରସନ୍ନଙ୍କ ସ୍ତ୍ରୀ ମିନାକ୍ଷୀ ଉଠି ଦେଖିବା ବେଳକୁ ଚୋରମାନେ ଘରେ ଉତ୍ପାତ କରୁଛନ୍ତି। ତୁରନ୍ତ ମିନାକ୍ଷୀ ନିଜ ଶୋଇବା ଘରର କବାଟ ବନ୍ଦ କରିବା ସହ ପାଖ ପଡିଶାଙ୍କୁ ଡାକିଥିଲେ। ସମସ୍ତେ ଆସି ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ। କନଜ୍ୟୁମର କୋର୍ଟ ନିକଟରେ କିଛି ଯୁବକ ରାତିରେ ମଦ ପିଇ ଉତ୍ପାତ କରୁଥିବା ବେଳେ ଲୋକେ ତାଂକୁ ଧରି ପୁଲିସର ଜିମା ଦେଇଥିଲେ।

ପୁଲିସ ୫ ଜଣକୁ ଅଟକ ରଖି ପଚରାଉଚରା କରୁଛି। ତେବେ ସେମାନେ ଏହି ଚୋରି ଘଟଣାରେ ସାମିଲ ଅଛନ୍ତି କି ନାହିଁ ତାହା ପୁଲିସ ତଦନ୍ତ ପରେ କହିବ ବୋଲି ଆଇଆଇସି କମଳାକାନ୍ତ କଅଁର ପ୍ରକାଶ କରିଛନ୍ତି। ତେବେ ସହରରେ ଲୋକେ ଚୋରିକୁ ନେଇ ଭୟଭୀତ ଓ ଆତଙ୍କିତ ହୋଇପଡିଛନ୍ତି। ଘରେ ଚାବି ପକାଇ ରାତିରେ ଯିବାକୁ ଲୋକେ ଭୟ କରୁଛନ୍ତି। ସହରରେ ଲାଗିଥିବା ସିସିଟିଭିଗୁଡିକ କାମ କରୁନଥିବାରୁ ଚୋରଙ୍କୁ ତାହା ବି ଆଉ ଏକ ମୌକା ଜୁଟାଇଛି। ତେଣୁ ରାତିରେ ପାଟ୍ରୋଲିଂ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।