ରାଉରକେଲା: ଏକାଧିକ ଚୋରି ମାମଲାରେ ସଂପୃକ୍ତ ଅଭିଯୁକ୍ତ ଶେଷରେ ପୁଲିସ ହାତରେ ଧରାପଡ଼ିଛି। ଗିରଫ ଅଭିଯୁକ୍ତ ହେଉଛି ଛେଣ୍ଡ୍‌ ଥାନା ଅନ୍ତର୍ଗତ ପ୍ରଧାନପଲ୍ଲୀ ବାଙ୍କିଆ କଲୋନିସ୍ଥ କ୍ବାର୍ଟର ନଂ ସି/୧୦ର ରାହୁଲ ରାୟ(୨୩)। ସେକ୍ଟର-୧୫ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ପାଖରୁ ୩ଟି ଲାପଟପ୍‌, ଗୋଟିଏ ସୋନୀ କ୍ୟାମେରା, ୧୧ଟି କାନଫୁଲ, ୨ଟି ନାକଫୁଲ, ୨ ସୁନା ହାର, ୩ଟି ସୁନାମୁଦି, ୨ଟି ସୁନା ଲକେଟ୍‌, ଗୋଟିଏ ସୁନା ଚେନ୍‌, ଗୋଟିଏ ବାଇକ୍‌(ଓଡି-୧୪-ଏସି-୩୧୦୨), ନଗଦ ୧୮ ହଜାର ଟଙ୍କା ସମେତ ରୂପା ଅଳଙ୍କାର ଜବତ ହୋଇଛି।

Advertisment

ସେକ୍ଟର-୧୫ ଥାନା ଅଞ୍ଚଳରେ ଅଭିଯୁକ୍ତ ରାହୁଲ ତାଣ୍ଡବ ଖେଳାଇଥିଲା। ବନ୍ଦ କ୍ବାର୍ଟରରୁ ସେ ଚୋରି କରିବାରେ ସିଦ୍ଧହସ୍ତ ଥିଲା। ଯେଉଁ ଘର କ୍ରମାଗତ ଭାବେ ୨/୩ ଦିନ ବନ୍ଦ ରହୁଥିଲା; ତାକୁ ରେକି କରି ପରବର୍ତ୍ତୀ ସମୟରେ ଗେଟ୍‌ର ତାଲା ଭାଙ୍ଗି, ରେଲିଂ ତାଡ଼ି ଚୋରି କରିନେଉଥିଲା। ସେକ୍ଟର-୧୭, ବି/୬୦ରେ ଆର୍‌ଏସ୍‌ପି କର୍ମଚାରୀ ଆଶୁତୋଷ ଦଳେଇ ବାସ କରନ୍ତି। ଗତ ୨୪ ତାରିଖରେ ସେ ଆର୍‌ଏସ୍‌ପି ସି’ ସିଫ୍ଟ ଡ୍ୟୁଟିରେ ଯାଇଥିଲେ। ପରଦିନ ସକାଳୁ ଘରକୁ ଫେରିଲାବେଳକୁ ଘରର କବାଟ ଭାଙ୍ଗି ଚୋରି ହୋଇଥିଲା। ଅଭିଯୁକ୍ତ ରାହୁଲ ଶ୍ରୀ ଦଳେଇଙ୍କ ଘରୁ ଲକ୍ଷାଧିକ ଟଙ୍କାର ନେକଲେସ, ସୁନା ଚୁଡ଼ି, ସୁନା ଚେନ, ସୁନା ଗହଣା ଚୋରି କରିନେଇଥିଲା। ସେହିଭଳି ଏପ୍ରିଲ ମାସରେ ସେକ୍ଟର-୧୭, ଏ/୪୨ରେ ରହୁଥିବା ‌ମୌସୁମୀ ଚାଟାର୍ଜୀଙ୍କ ଘରୁ ମଧ୍ୟ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା।

ଶ୍ରୀମତି ଚାଟାର୍ଜୀ ବାଙ୍ଗାଲୋରକୁ ନିଜ ଝିଅ ଘରକୁ ଯାଇଥିଲେ। ଘର ବନ୍ଦ ଥିବା ଦେଖି ଅଭିଯୁକ୍ତ ସେଠାରୁ ୨ଟି ଲାପଟପ୍‌, ୬ ହଳ କାନଫୁଲ, ୪ଟି ସୁନା ମୁଦି, ୪ଟି କାନଫୁଲ, ୨ଟି ସୁନା ଲକେଟ ଓ ଗୋଟିଏ ସୁନା ଟଙ୍କା ଚୋରି କରିଥିଲା। ସେହିଭଳି ସେକ୍ଟର-୧୫, ଏ/୧୮୯ରେ ରହୁଥିବା ନଜରୁଲ ହୁସେନ ଖାନ ସପରିବାର ୫ ଦିନ ପାଇଁ ଭୁବନେଶ୍ବରକୁ ଯାଇଥିଲେ। ଫେରିଲାବେଳକୁ ଘରେ ଥିବା ୨ଟି ସୁନା ଚୁଡ଼ି, ୨ଟି କାନଫୁଲ, ବ୍ରାସ୍‌ଲେଟ୍‌, ରୂପା ଅଳଙ୍କାର ଓ ନଗଦ ୫୨ ହଜାର ଟଙ୍କା ଚୋରି ହୋଇଯାଇଥିଲା। ଏମିତିକି ଗତ ମେ’ ୧୮ ତାରିଖରେ ସେକ୍ଟର-୧୮, ଏ/୧୬୧ରେ ରହୁଥିବା ଆର୍‌ଏସ୍‌ପି କର୍ମଚାରୀ ଜୟକ୍ରିଷ୍ଣନ୍‌ ଏସ. ସି’ ସିଫ୍ଟ ଡ୍ୟୁଟିରେ ଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଘରେ ଥିବା ସୁନା ଚେନ୍‌, ୬ଟି କାନଫୁଲ, ଗୋଟିଏ ଲାପ୍‌ଟପ୍‌ ଓ ନଗଦ ଟଙ୍କା ଚୋରି କରିନେଇଥିଲା। ଏଭଳି ଏକାଧିକ ମାମଲାରେ ଅଭିଯୁକ୍ତ ରାହୁଲ ଥିବା ପୁଲିସ ସୂଚନାରୁ ପ୍ରକାଶ।