ଏଟିଏମ ଲୁଟ୍‌ ଉଦ୍ୟମ ବିଫଳ, ୩ ଅଟକ

ରାୟଗଡ଼ା: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଡିପି କ୍ୟାମ୍ପ ଦୈନିକ ବଜାରସ୍ଥିତ ଏସବିଆଇ ଏଟିଏମ ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ଦୁର୍ବୃତ୍ତମାନେ ଏଟିଏମଟିକୁ ଭାଙ୍ଗି ଦେଇଥିଲେ ହେଁ ଟଙ୍କା ଲୁଟ୍‌ କରିବାରେ ବିଫଳ ହୋଇଛନ୍ତି। ଏଟିଏମ୍‌ରେ ଲାଗିଥିବା ସିସିଟିଭି ଯାଞ୍ଚ ପରେ ପୁଲିସ ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟାରେ ୩ଜଣ ଦୁର୍ବୃତ୍ତ ଥେରୁବାଲି ଡିପି କ୍ୟାମ୍ପ ଦୈନିକ ବଜାରସ୍ଥିତ ଏସବିଆଇ ଏଟିଏମ ଲୁଟ୍‌ କରିବାକୁ ଆସିଥିଲେ। ଦୁର୍ବୃତ୍ତମାନେ ଏଟିଏମକୁ ଭାଙ୍ଗିଥିଲେ ହେଁ ଟଙ୍କା ଲୁଟ୍‌ କରିବାରେ ବିଫଳ ହୋଇ ଫେରି ଯାଇଥିଲେ। ଖବର ପାଇ ଥେରୁବାଲି ଫାଣ୍ଡି ଓ ଚାନ୍ଦିଲି ଥାନାର ପୁଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏଟିଏମ୍‌ ଲାଗିଥିବା ସିସିଟିଭି ଯାଞ୍ଚ କରିବା ପରେ ୩ଜଣ ଦୁର୍ବୃତ୍ତ ଏଟିଏମ୍‌ ଲୁଟ୍‌ କରିବାକୁ ଉଦ୍ୟମ କରିଥିବା ଜଣାପଡିଥିଲା।

ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଏହି ଘଟଣାରେ ଥେରୁବାଲି ଡିପି କ୍ୟାମ୍ପର ସୁଧୀର ଗରଡ଼ିଆ ଓ ଟୁଲୁ ବାହାଦୁର ଏବଂ କଳହାଣ୍ଡି ଅଞ୍ଚଳର ଉମେଶ ନାଗଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ପ୍ରକାଶ ଥାଉକି, ଗତକାଲି ଏହି ଏଟିଏମ୍‌ ବ୍ୟାଙ୍କ ପକ୍ଷରୁ ୧ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର