ଦୁର୍ବୃତ୍ତଙ୍କ ତାଣ୍ଡବରୁ ବର୍ତ୍ତୁନି ସରକାରୀ କାର୍ଯ୍ୟାଳୟ, ସେକ୍ଟର-୧୯ ପୋଷ୍ଟ୍‌ ଅଫିସର ଚୋରି ଉଦ୍ୟମ

ରାଉରକେଲା: ଇସ୍ପାତ ସହରରେ ଚୋରଙ୍କ ତାଣ୍ଡବ କ୍ରମଶଃ ବଢ଼ିବାରେ ଲାଗିଛି। ଦିନ ଦ୍ବିପ୍ରହରରେ ଚୋରି, ଛିନ୍‌ତାଇ ସହ ସନ୍ଧ୍ୟା ହେବାମାତ୍ରେ ତାଲା ଭାଙ୍ଗି ଚୋରି କରିବା ନିତିଦିନିଆ ହେଲାଣି। ଏବେ ଦୁର୍ବୃତ୍ତ ସରକାରୀ କାର୍ଯ୍ୟାଳୟରୁ ଚୋରି ଉଦ୍ୟମ ଆରମ୍ଭ କଲେଣି। ଗତକାଲି ରାତିରେ ସେକ୍ଟର-୧୯ ପୋଷ୍ଟ୍‌ ଅଫିସ୍‌ରୁ ଚୋରି ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ତେବେ କାର୍ଯ୍ୟାଳୟରୁ କୌଣସି ମୂଲ୍ୟବାନ ସାମଗ୍ରୀ ଚୋରି କରିବାରେ ବିଫଳ ହୋଇଛନ୍ତି।
ଆଜି ସକାଳ ପ୍ରାୟ ୯ଟାରେ ଡାକ ବିଭାଗ କର୍ମଚାରୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରଥମେ ପାଚେରିର ଗେଟ୍‌ରେ ତାଲା ପଡ଼ିଥିବାରୁ ତାକୁ ଖୋଲି କର୍ମଚାରୀ ଜଣକ ଭିତରକୁ ପସିଥିଲେ। ତେବେ କାର୍ଯ୍ୟାଳୟ ମୁଖ୍ୟ ପ୍ରବେଶ ଦ୍ବାରରେ ଥିବା ଲୁହା ଗ୍ରୀଲ୍‌ ଓ କାଠ କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ। ପରେ ଚୋରି ସନ୍ଦେହକରି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ସମେତ ସେକ୍ଟର-୧୯ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ଛାନ୍‌ଭିନ କରିଥିଲା। ତେବେ କୌଣସି ମୂଲ୍ୟବାନ ସାମଗ୍ରୀ, କାଗଜପତ୍ର ଚୋରି ହୋଇନଥିବା ଜଣାପଡ଼ିଛି। ପ୍ରକାଶଥାଉକି, ଏହି ପୋଷ୍ଟଅଫିସ ଚାରିପଟେ ଏକ ଛୋଟ ଉଚ୍ଚତା ବିଶିଷ୍ଟ ପାଚେରି ରହିଛି। ଏହି ପାଚେରିକୁ ଡେଇଁ ଦୁର୍ବୃତ୍ତ କାର୍ଯ୍ୟାଳୟ ଭିତରେ ପଶିଛନ୍ତି। ଦୁର୍ବୃତ୍ତମାନେ କାର୍ଯ୍ୟାଳୟ ଭିତରେଥିବା ବିଭିନ୍ନ ଆଲମିରା, ଡ୍ରୟର୍‌ ଯାଞ୍ଚ କରିବାପରେ ଆଇରନ୍‌ଚେଷ୍ଟକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ଏଥିରେ ବିଫଳ ହେବାରୁ ସେଠାରୁ ଫେରାର ଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର