ଧଉଳି: ଧଉଳି ଥାନା ଅଞ୍ଚଳରେ ଆଜି ମଧ୍ୟାହ୍ନରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଲୁଟ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକ କାବୁ କରି ନେଇ ନିସ୍ତୁକ ମାଡ଼ମାରି ପିସିଆର ଭ୍ୟାନ ପୁଲିସ ଜିମା ଦେଇଛନ୍ତି। ଧଉଳି ଥାନା ପୁଲିସ ସଂପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ଏବେ ପଚରାଉଚରା କରୁଛି। ଅଟକ ଯୁବକଙ୍କ ନାମ ଅମରେନ୍ଦ୍ର ତ୍ରିପାଠୀ(୨୬)। ସୂଚନା ମୁତାବକ ଅମରେନ୍ଦ୍ରର ଘର ସୁନ୍ଦରପଦା ଅଞ୍ଚଳରେ। ସେ ଏଠାରେ ରହି ଭଡ଼ାଘର ଖୋଜୁଥିବା ଲୋକଙ୍କ ଲାଗି ଘର ଯୋଗାଇ ଦେବାରେ ସହାୟତାଟ କରିବା କାମ କରେ। ଆଜି ମଧ୍ୟାହ୍ନରେ ଅମରେନ୍ଦ୍ର ମାରୁତିନଗରକୁ ଯାଇଥିଲା। ସେଠାରେ ଜଣେ ବ୍ୟକ୍ତିଙ୍କ ତଳ ମହଲାରେ କେହି ନଥିବା ଦେଖି ଘର ଭିତରକୁ ପଶି ଏକ ପର୍ଶ ଧରି ପଳାଇଯିବାକୁ ଉଦ୍ୟମ କରିଥିଲା।
ଉପର ମହଲାରେ ଘର କାମ ଦେଖୁଥିବା ଘର ମାଲିକ ଅମରେନ୍ଦ୍ର ଘରୁ ପଳାଉଥିବା ଦେଖି ଚୋର ଚୋର ବୋଲି ଚିତ୍କାର କରିଥିଲେ। ତାଙ୍କ ପାଟିଶୁଣି ପାଖ ପଡ଼ୋଶୀମାନେ ଅମରେନ୍ଦ୍ରକୁ କାବୁ କରି ନିର୍ଧୁମ ଛେଚି ତା’ ନିକଟରୁ ଉକ୍ତ ପର୍ସରେ ଥିବା ଚୋରି ୧୨ ହଜାର ଟଙ୍କା ଜବତ କରିଥିଲେ। ପରେ ଅମରେନ୍ଦ୍ରକୁ ଧଉଳି ଥାନା ପିସିଆର ପୁଲିସ ଜିମା ଦେଇଥିଲେ। ଏସଂପର୍କରେ ଘର ମାଲିକ ଧଉଳି ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ହେଲେ ରିପୋର୍ଟ ଲେଖା ହେବା ବେଳକୁ ଏନେଇ ଥାନାରେ ମାମଲା ରୁଜୁ ହୋଇନଥିବାେ ସୂଚନା ମିଳିଛି ।