ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ଡାବୁଗାଁ କେଲିଆ ଝାଡେଶ୍ୱର ଶୈବପୀଠର କିମ୍ବଦନ୍ତୀ ବହନ କରିଥିବା ପାର୍ବତୀ ମନ୍ଦିରର କୀର୍ତ୍ତିରାଜିକୁ ନଷ୍ଟ କରିବାକୁ ଦୁର୍ବୃତ୍ତମାନେ ହିନ ଚକ୍ରାନ୍ତ କରିଛନ୍ତି । ଷୋଡ଼ଶ ଶତାବ୍ଦୀର ଏହି କୀର୍ତ୍ତିରାଜ ମଧ୍ୟରେ ପାହାଡ ଘେରାରେ ଥିବା ପାର୍ବତୀ ମନ୍ଦିର (ଲିଙ୍ଗ) ବିଗ୍ରହକୁ ଏକ ଧାରୁଆ ଅସ୍ତ୍ର ଦ୍ଵାରା କ୍ଷତ ପହଞ୍ଚିଥିବା ବେଳେ ପାର୍ବତୀ ବିଗ୍ରହର ସମ୍ମୁଖରେ ପୂଜା ପାଉଥିବା ଚଣ୍ଡୀ (ଲିଙ୍ଗ) ବିଗ୍ରହକୁ ମୂଳରୁ ଭାଙ୍ଗି ଦେଇଛନ୍ତି । ଏହି ଚଣ୍ଡୀ ବିଗ୍ରହକୁ ଦୁର୍ବୃତ୍ତ ଭାଙ୍ଗି ଦେବା ପରେ ପାହାଡ଼ର ତଳ ଭାଗରେ ନେଇ ଫୋପାଡି ଦେଇଛନ୍ତି । ତେବେ କେଉଁ କାରଣରୁ ଦୁର୍ବୃତ୍ତ ଏହି ପୁରାତନ କୀର୍ତ୍ତିରାଜିକୁ ଧ୍ୟଂଶ କରିବାକୁ ବସିଥିଲା ତାହା ଜଣା ପଡି ନ ଥିବା ବେଳେ ଆଜି ସକାଳୁ କେଲିଆ ନିକଟ ଭଣ୍ଡିମାଳ ଗ୍ରାମର ଜଣେ ବ୍ୟକ୍ତି ଏହି କୀର୍ତ୍ତିରାଜିକୁ ଭଙ୍ଗା ଯାଇଥିବା ପ୍ରଥମେ ଦେଖି ଚଚରାଗୁଡ଼ା ସରପଞ୍ଚ ଧର୍ମାନନ୍ଦ ନାୟକଙ୍କୁ ସୂଚନା ଦେଇଥିଲେ।

Advertisment

publive-image

ଖବର ପାଇ ଡାବୁଗାଁ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। କିମ୍ବଦନ୍ତୀ ବହନ କରିଥିବା ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ଏହି କେଲିଆ ଝାଡେଶ୍ୱର ଶୈବପୀଠକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି। ଶୈବପୀଠରୁ ୩ କିମି ଦୂରତାରେ ଅଛି ପାର୍ବତୀ ମନ୍ଦିର। ଘଞ୍ଚ ଜଙ୍ଗଲ ଓ ବନ ପାହାଡ ଘେରାରେ ଥିବା ଏହି ପାର୍ବତୀ ମନ୍ଦିରର ଅପରୁବ ସୌନ୍ଦର୍ଯ୍ୟ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥାଏ । ତିନି କିମି ପାହାଡ ଦେଇ ଶ୍ରଦ୍ଧାଳୁ ମାନଙ୍କୁ ଚାଲି ଚାଲି ଯିବାକୁ ପଡିଥାଏ। ଏହି ପାର୍ବତୀ ମନ୍ଦିର ଦେଇ ଏକ ଗୁମ୍ଫା ରହିଛି ଯାହାକି ପାର୍ବତୀ ଗୁମ୍ଫା ନାମରେ ପ୍ରସିଦ୍ଧ। ଏହି ଗୁମ୍ଫା ଭିତର ଦେଇ ଗୁପ୍ତେଶ୍ୱର ମନ୍ଦିରକୁ ରାସ୍ତା ଯାଇଥିବା ନେଇ ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି। ତେବେ ବହୁ ପୁରାତନ କିମ୍ବଦନ୍ତୀ ବହନ କରିଥିବା ପାର୍ବତୀ ମନ୍ଦିରର  ଏହି ବିଗ୍ରହ ମାନଙ୍କୁ ଦୁର୍ବୃତ୍ତ ଭାଙ୍ଗି ନଷ୍ଟ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ଏବଂ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ବିଧାନ କରିବାକୁ ସାଧାରଣରେ ଦାବି ହୋଇଛି।