ରଘୁନାଥପୁର: ରଘୁନାଥପୁର ଥାନା ଅନ୍ତର୍ଗତ ଅଢେଇକୂଳ ଗ୍ରାମପଞ୍ଚାୟତର ସାନ କୋରକୋର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକଙ୍କ ରବୀନ୍ଦ୍ର ଦାସଙ୍କ ଘରେ ଜଣେ ଯୁବକ ଗ୍ରିଲ ତାଲା କାଟି ଚୋରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଛି। ଗ୍ରାମବାସୀ ଚୋରକୁ ଗଛରେ ବାନ୍ଧି ଉତ୍ତମ ମଧୢମ ଦେବା ସହ ଗଛରେ ବାନ୍ଧି ସାତବେଣ୍ଟିଆ କରିବା ଘଟଣା ରଘୁନାଥପୁର ଅ˚ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାରୁ ପ୍ରକାଶ ଯେ ରବୀନ୍ଦ୍ର ଅସୁସ୍ଥ ଥିବାରୁ ସପରିବାର ରଘୁନାଥପୁରରେ ଘର ଭଡ଼ା ନେଇ ରହୁଥିଲେ। ଗାଁ ଘରେ ତାଲା ପଡୁଥିଲା। ଘରେ କେହି ରହୁନଥିବାର ସୁଯୋଗ ନେଇ ଅଢେକକୂଳ ପଞ୍ଚାୟତ ବଡକୋରକୋର ଗ୍ରାମର ମଙ୍ଗୁ ବାରିକ(୩୨) ଦିନ ଦ୍ବିପହରରେ ମୁଖ୍ୟଦ୍ବାର ଗ୍ରିଲ୍ ତାଲା କାଟି କବାଟ ତାଡ଼ି ଭିତରେ ପଶିଥିଲା।
ଘରେ ସାନପୁଅ ରଖିଥିବା ଟେଣ୍ଟ୍ ହାଉସ୍ ସାମଗ୍ରୀ ଏଲ୍ଇଡି ଲାଇଟ୍, ସିଲିଙ୍ଗ୍ ଫ୍ୟାନ ଆଦି ଚୋରି କରିବା ସହ ଘରର ପିତଳ ବାସନ କୁସନ, ଆସବାପତ୍ର ଚୋରି କରୁଥିଲା। ଏହି ସମୟରେ ଗ୍ରାମବାସୀ ତୁରନ୍ତ ସାନ ପୁଅ ଦେବେନ୍ଦ୍ରଙ୍କୁ ଜଣାଇଥିଲେ। ଗ୍ରାମବାସୀଙ୍କ ସହ ସେଠାରେ ପହଞ୍ଚି ମଙ୍ଗୁକୁ ଧରି ଏକ ଖୁଣ୍ଟରେ ବାନ୍ଧି ଥିଲେ। କେତେକ ଉତ୍ତ୍ୟକ୍ତ ଯୁବକ ତାକୁ ନିର୍ଧୂମ ଛେଚି ସାତବେଣ୍ଟିଆ କରିଥିଲେ। ପରେ ଗ୍ରାମାବସୀ ଚୋରକୁ ରଘୁନାଥପୁର ପୁଲିସ ଜିମା ଦେଇଥିଲେ। ଥାନା ଏସ୍ଆଇ ହିତାୟଦ୍ ମହମ୍ମଦ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ ଗିରଫ କରିବା ସହ କେସ୍ ନଂ ୧୯/୨୧ରେ ମାମଲା ରୁଜୁକରି ତଦନ୍ତ କରୁଛନ୍ତି।