ମାଲକାନଗିରି ଉପକାରାଗାରେ କଏଦୀ ମୃତ୍ୟୁ ଘଟଣା: ପତ୍ନୀ ସୋନାରୀ କହିଲେ- ମୋ ସ୍ବାମୀକୁ ହତ୍ୟା କରାଯାଇଛି, ମୋତେ ନ୍ୟାୟ ଦରକାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଉପକାରାଗାରରେ ଗତ ଦୁଇ ଦିନ ତଳେ ନକ୍ସଲ ଘଟଣାରେ ଗିରଫ ହୋଇ ବିଚାରଧୀନ ରହିଥିବା ଦାନୁ ଗଲୋରୀର ବେକ କଟିଯିବାରୁ ତାର ମୃତ୍ୟୁ ହୋଇଥିଲା। ତେବେ ମୋ ସ୍ବାମୀଙ୍କୁ ହତ୍ୟା କରାଯାଇଛି ଏବଂ ମୋତେ ନ୍ୟାୟ ଦିଆଯାଉ ବୋଲି ମୃତ ଦାନୁ ଗଲୋରୀର ପତ୍ନୀ ସୋନାରି ଗଲୋରୀ ଦାବି କରିଛି। ଦାନୁର ଭାଇ ଅଭିଯୋଗ କରିଛନ୍ତି ଯେ ମୋ ଭାଇ ଦାନୁକୁ ପୁଲିସ ନକ୍ସଲ ବୋଲି ଉଠାଇ ନେଲା। ଜେଲରେ ଭର୍ତ୍ତି କଲା। କିନ୍ତୁ କେଉଁ ଘଟଣାରେ ତାକୁ ଏଭଳି ନିର୍ମମ ଭାବେ ହତ୍ୟା କରାଗଲା ସେନେଇ ତଦନ୍ତ କରାଯାଉ ବୋଲି ଦାବି ହୋଇଛି। ଜେଲ ଭିତରେ କେବେ ମଧ୍ୟ କାହାକୁ ହତ୍ୟା କରାଯାଇଥିବା ମୁଁ ଶୁଣିନାହିଁ ବୋଲି ଶ୍ରୀରାମ କହିଥିଲେ। ଗତ ତିନି ମାସ ତଳେ ତାଂକୁ ପୁଲିସ ନେଇ ମାଲକାନଗିରି ଜେଲରେ ଭର୍ତ୍ତି କରିଥିଲା। ଆମେ ଯାଇ ଦାନୁକୁ ଦେଖି ଆସିଥିଲୁ। ସେ ଭଲରେ ଥିବା କହିଥିଲା। କିନ୍ତୁ ହଠାତ ଗତ ଦୁଇ ଦିନ ତଳେ ପୁଲିସ ଆସି କହିଲା ଯେ ତୁମର ଭାଇ ଅସୁସ୍ଥ ରହିଛନ୍ତି।

ମାଲକାନଗିରି ମେଡିକାଲକୁ ଯାଇ ଦେଖିଲା ବେଳକୁ ପୁଲିସ କହୁଛି ତୁମର ଭାଇର ଶବକୁ ନେଇଯାଅ। ମୋ ଭାଇ ଦାନୁର ବେକକୁ ଯେଭଳି କଟାଯାଇଛି, ଯେ କେହି ବି ଦେଖିଲେ ସେ ଆତ୍ମହତ୍ୟା କରିନଥିବା ବୋଲି କହିବ। କାରଣ ବେକ ସଂପୂର୍ଣ୍ଣ କଟିଯାଇଛି। କେବଳ ହାଟ ହିଁ ଲାଗିଥିଲା। କେହି ତାକୁ ଧାରୁଆ ଅସ୍ତ୍ରରେ ହାଣି ଦେଇଛି ବୋଲି ଦାନୁର ଭାଇଶ୍ରୀରାମ ଅଭିଯୋଗ କରିଛି। ଏଥିପାଇଁ ଦରକାର ପଡିଲେ ସେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିବେ ବୋଲି କହିଛନ୍ତି। ସେହିପରି ପତ୍ନୀ ସୋନାରି ମଧ୍ୟ ନିଜ ସ୍ବାମୀକୁ ହରାଇ ଭାଙ୍ଗିପଡିଛନ୍ତି। ଚାରି ଚାରୋଟି ପିଲାଙ୍କୁ ନେଇ କିପରି ଚଳିବେ ସେନେଇ ଚିନ୍ତାରେ ପଡିଥିବା କହିଛନ୍ତି।ମୋ ସ୍ବାମୀକୁ ଛାଡିଦେବେ କହି ଜବରଦସ୍ତ ଘରୁ ଉଠାଇ ନେଲେ। ଆମକୁ ସାକ୍ଷାତ ମଧ୍ୟ କରାଇଲେ ନାହିଁ। ଜେଲରେ ଭର୍ତ୍ତି କରିବା ପରେ ହତ୍ୟା କରିଦେଲେ ବୋଲି ପତ୍ନୀ ସୋନାରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ଜେଲ ଭିତରେ ଚାଲୁଥିବା ଅବ୍ୟବସ୍ଥାକୁ ଦାୟୀ କରିବା ସହ ଜେଲ କର୍ତ୍ତୃପକ୍ଷ ହିଁ ମୋ ସ୍ବାମୀ ହତ୍ୟାରେ ଦାୟୀ ବୋଲି ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସବୁ ପଦାକୁ ଆସିବ ବୋଲି କୁହାଯାଇଛି।

ଆଗାମୀ ଦିନରେ ଏସପିଙ୍କ ନିକଟରେ ଆମେ ଫେରାଦ ହେବୁ ବୋଲି ଧମକ ଦେଇଛନ୍ତି।ଜେଲ ଭିତରେ ଚାଲିଥିବା ଅବହେଳା ଓ ଅବ୍ୟବସ୍ଥାକୁ ନେଇ ନାନା ପ୍ରଶ୍ନ ଆଗରୁ ମଧ୍ୟ ଉଠିଛି।ଲଗାତାର ଏକ ମାସ ମଧ୍ୟରେ ତିନି ତିନି ଜଣଙ୍କର ମୃତ୍ୟୁକୁ ନେଇ ଜିଲ୍ଲା ଉପକାରାଗାର ଏବେ ବଦନାମ ହୋଇଯାଇଛି। ଏହି କାରାଗାରରେ ନକ୍ସଲ ସମେତ ଦୁର୍ଦାନ୍ତ ଡକାୟତ,ଗଂଜେଇ ମାଫିଆମାନେ ରହିଛନ୍ତି। ତେବେ ଦାନୁ ଗଲୋରୀ ପରିବାର ଲୋକଙ୍କୁ ଠିକରେ ଥିବା କହିବା ପରେ କାହିଁକି ସେ ଆତ୍ମହତ୍ୟା କରିବ ବୋଲି କୁହାଯାଇଛି।ଜେଲ ଭିତରକୁ ଧାରୁଆ ଅସ୍ତ୍ର କିପରି ପଶିଲା ସେନେଇ ତଦନ୍ତ କରାଯିବା ଉଚିତ।

ତେବେ ଆହୁରି ବହୁ ଜିନିଷ ଜେଲ ଭିତରେ ପଶୁଥିବା ଅନୁମାନ କରାଯାଏ। ତଦନ୍ତ ହେଲେ ଏହାର ଗୁମର ପଦାରେ ପଡିବ ବୋଲି କୁହାଯାଇଛି। ତେବେ ପତ୍ନୀ ଓ ପରିବାର ଲୋକେ ଦାନୁକୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି। ତେବେ ଏନେଇ ଜେଲ କର୍ତ୍ତୃପକ୍ଷ କୌଣସି ଉତ୍ତର ଦେଉନାହାନ୍ତି କିମ୍ବା କାହା ସହ ସାକ୍ଷାତ ମଧ୍ୟ କରୁନାହାନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଜେଲ ନିକଟକୁ ଭର୍ତ୍ତି କରାଯାଉନାହିଁ।ତେବେ ଆଗାମୀ ଦିନରେ ଏଭଳି ଘଟଣା ଏଡାଇବାକୁ ହେଲେ ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।

ସମ୍ବନ୍ଧିତ ଖବର