ମୋବାଇଲ ଦୋକାନରୁ ଚୋରି ଘଟଣାରେ ସିସିଟିଭିରେ କୈଦ ହେଲା ଚୋର

ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ରାହନ ମୋବାଇଲ ଦୋକାନରୁ ଗତକାଲି ରାତିରେ ଚୋର ଛାତ କଣା କରି ଚୋରି କରିଥିବା ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ମୁଖ୍ୟ ଛକରେ ଥିବା ମୋବାଇଲ ଦୋକାନର ଛାତ ଉପରେ ଚଢି ଛାତକୁ କଣା କରି ଦୋକାନ ଭିତରେ ପଶିଥିଲା ଚୋର। ତେବେ ସିସିଟିଭିରେ ଚୋର ଦୋକାନ ଭିତରେ ପଶିବା ଏବଂ ମୋବାଇଲ ସହ ଅନ୍ୟ ସାମଗ୍ରୀ ଚୋରି କରି ନେବାର ଦୃଶ୍ୟ କୈଦ ହୋଇଥିଲା। ଚୋରର ମୁହଁ ସିସିଟିଭିରେ ସମ୍ପୂର୍ଣ୍ଣ ରୂପେ କୈଦ ହୋଇଛି।ତେବେ ଏହି ଚୋର ଜଣକ ସ୍ଥାନୀୟ ଅଞ୍ଚଳର ନୁହେଁ ବୋଲି ଆଲୋଚନା ହେଉଥିଲା। ରାହନ ମୋବାଇଲ ଦୋକାନରୁ ଏହା ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ଚୋର ହୋଇ ସାରିଛି। କିନ୍ତୁ ପୁଲିସ ଚୋରର ଟେର ମଧ୍ୟ ପାଇ ପାରିନଥିଲା।

ମୋବାଇଲ ଦୋକାନର ମାଲିକ ମାଲକାନଗିରି ଥାନାରେ ଏତଲା ଦେବା ସହ ତୁରନ୍ତ ଚୋରକୁ ଗିରଫ କରିବାପାଇଁ ପୁଲିସ ନିକଟରେ ଦାବି କରିଥିଲେ। ବାରମ୍ବାର ଗୋଟିଏ ଦୋକାନକୁ କାହିଁକି ଚୋର ଟାର୍ଗେଟ କରୁଛନ୍ତି ବୋଲି ଦୋକାନ ନିକଟରେ ରୁଣ୍ଡ ହୋଇଥିବା ଲୋକେ ଆଲୋଚନା କରୁଥିଲେ। ରାତିରେ ପ୍ରାୟତଃ ପୁଲିସ ପେଟ୍ରୋଲିଂ ଗାଡି ପଇଁତରା ମାରିଥାଏ। କିନ୍ତୁ ମୁଖ୍ୟ ଛକ ଉପରେ ଥିବା ଦୋକାନରୁ ଚୋର ଚୋରି କରି ନେଇଥିଲେ ମଧ୍ୟ ପୁଲିସ ଟେର ପାଇ ପାରୁନାହିଁ। ଯାହାକୁ ନେଇ ଜନଅସନ୍ତୋଷ ବଢିଛି। ଚୋରର ମୁହଁ ସିସିଟିଭିରେ ଦିଶୁଥିବାରୁ ହୁଏତ ପୁଲିସ ଏଥର ଚୋରକୁ କାବୁ କରିବ ବୋଲି ଦୋକାନୀ ଏବଂ ସାଧାରଣ ଜନତା ଆଶା ପ୍ରକାଟ କରିଛନ୍ତି।

ସମ୍ବନ୍ଧିତ ଖବର