ସାବଧାନ! ଗ୍ରାହକ ବେଶରେ ମାତିଛନ୍ତି ଲୁଟେରା, କିଣିବାକୁ ଆସି ଅଳଙ୍କାର ନେଇ ପାର୍‌

ରାଜନଗର: ସାବଧାନ ! ଗ୍ରାହକ ବେଶରେ ମାତିଛନ୍ତି ମା’ପୁଅ ଲୁଟେରା। ସୁନା ଦୋକାନକୁ ଅଳଙ୍କାର ଗହଣା କିଣିବା ଆଳରେ ପହଞ୍ଚି ଯାଉଛନ୍ତି। ଗହଣା ଦେଖୁଛନ୍ତି। ସମୟ ସୁବିଧା ଦେଖି କୌଶଳ କରି ଗହଣା ଲୁଟି ନେଉଛନ୍ତି। ଦୁଇଟି ସୁନା ଦୋକାନରେ ହୋଇଥିବା ଗହଣା ଲୁଟର ଭିଡିଓ ଭାଇରାଲ ହେବାରେ ଲାଗିଛି। ରାଜନଗର ବଜାର ଉପରେ କ୍ରୀଷ୍ଣା ଜୁଏଲର୍ସରେ ହୋଇଥିବା ଚୋରି ସଂପର୍କରେ ରାଜନଗର ଥାନାରେ ଅଭିଯୋଗ ହୋଇଛି। ମଦନପୁର ବଜାରରେ ସୁନା ଗହଣା ଦୋକାନରେ ହୋଇଥିବା ଚୋରି ସଂପର୍କରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି। ସୂଚନା ଅନୁସାରେ, ରାଜନଗର ହଂସୁଆ ସେତୁ ନିକଟରେ ଥିବା କ୍ରୀଷ୍ଣା ଜୁଏଲର୍ସରୁ ଗତକାଲି ଜଣେ ମହିଳା ଓ ଯୁବକ ଗହଣା କିଣିବାକୁ ଯାଇଥିଲେ। ସୁନା କାନଫୁଲ ଦେଖାଇବା ପାଇଁ କହିଥିଲେ। ଦୋକାନର ମାଲିକ ନୀଳାମ୍ବର ସାହୁ କାନଫୁଲ ଦେଖାଇଥିଲେ। ବିଭିନ୍ନ ଡିଜାଇନ୍‌ର କାନଫୁଲ ଦେଖିବା ବାହାନାରେ କୌଶଳ କ୍ରମେ ହଳେ କାନଫୁଲକୁ ଯୁବକ ଜଣଙ୍କ ହାତରେ ଧରିଥିଲେ। ବ୍ୟବସାୟୀ ଅନ୍ୟ ଗହଣା ଆଣି ଦେଖାଇବା ମଧ୍ୟରେ ହାତରେ ଧରିଥିବା କାନଫୁଲକୁ ପକେଟରେ ପୂରାଇଥିଲେ।

ଅନ୍ୟ ଡିଜାଇନ୍‌ର କାନଫୁଲ ଦରକାର, ଆସିଲେ ଆସିବୁ କହି ଦୋକାନରୁ ଚାଲିଯାଇଥିଲେ। ବ୍ୟବସାୟୀ ଜଣଙ୍କ କାନଫୁଲ ନ ପାଇ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଉକ୍ତ ଯୁବକ ଓ ମହିଳା ଜଣଙ୍କ ତାହାକୁ ଲୁଟି ନେଇଥିବା ଦେଖିଥିଲେ। ଏହାପରେ ଖୋଜାଖୋଜି କରି ସେମାନଙ୍କୁ ନପାଇ ଆଜି ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ଯୁବକ ଓ ମହିଳା ୨ଦିନ ତଳେ ମଦନପୁରର ଏକ ସୁନା ଅଳଙ୍କାର ଓ ବାସନକୁସନ ଦୋକାନରେ କାନଫୁଲ ଦେଖିବା ପାଇଁ ପହଞ୍ଚିଥିଲେ। କାନଫୁଲ ଦେଖିବା ବାହାନାରେ ହଳେ ଲୁଟି ନେଇଥିଲେ। ତାହାର ମଧ୍ୟ ସିସିଟିଭି ଫୁଟେଜ୍‌ ଭାଇରାଲ ହେଉଛି। ଦୁଇଟି ଦୋକାନର ସିସିଟିଭି ଫୁଟେଜରୁ ୨ଟି ସ୍ଥାନରୁ ଚୋରି କରୁଥିବା ଯୁବକ ଓ ମହିଳା ସମାନ ବୋଲି ଜଣାପଡିଛି। ମଦନପୁର ଚୋରି ସଂପର୍କରେ ଥାନାରେ ଅଭିଯୋଗ ହୋଇନାହିଁ। ଅନ୍ୟପକ୍ଷରେ ରାଜନଗର ବଜରଙ୍ଗବାଲୀ ପୂଜା କମିଟି ପକ୍ଷରୁ ଏହି ଲୁଟେରାଙ୍କୁ ଧରାଇ ଦେଲେ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ପୁଲିସ ଲୁଟେରାଙ୍କ ପାଖରେ ପହଞ୍ଚି ପାରିନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର