ଉମରକୋଟ : ତାରିଣୀ ମନ୍ଦିରରୁ ଗତ ମାସରେ ହୋଇଥିବା ଚୋରି ଘଟଣାରେ ଏକ ନାଟକୀୟ ମୋଡ଼ ଆସିଛି । ମା’ଙ୍କ ଅଳଙ୍କାର ଚୋରି କରିଥିବା ଚୋର ନିଜେ ଆଣି ଅଳଙ୍କାର ଫେରାଇଦେଇଛି । ଏହା ମା’ଙ୍କ ଅଲୌକିକ ମହିମା ଅଥବା ଚୋରର ମନ ପରିବର୍ତ୍ତନ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି ।

Advertisment

ଗତ ମାସ ୧୮ ତାରିଖ ରାତି ନବରଙ୍ଗପୁର ଜିଲ୍ଲା ଉମରକୋଟ  ନିକଟସ୍ଥ ବେହେଡା ଠାରେ ଥିବା ତାରିଣୀ ପୀଠରୁ ବହୁ ସୁନା, ରୂପା ଅଳଙ୍କାର, ଦାନ ପେଡ଼ିର ବହୁ ଟଙ୍କା ଚୋରି ହେଇଯାଇଥିଲା । ଏହି ଘଟଣାକୁ ନେଇ ଲୋକଙ୍କ ମନରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଥିଲା । ଏହାକୁ ନେଇ ମନ୍ଦିର ପୂଜକ ସୁଦାମ ମିଶ୍ର ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଚୋରକୁ ଧରିବାରେ ବିଫଳ ହେଇଥିଲା । କିନ୍ତୁ ଆଜି ସକାଳୁ ମନ୍ଦିର ପୂଜକ ସୁଦାମ ମିଶ୍ର ମନ୍ଦିର ଚାରି ପଟେ ବୁଲୁଥିବା ବେଳେ ହଠାତ୍ ମନ୍ଦିର ସମ୍ମୁଖରେ ଚୋରି ହେଇଥିବା ତାରିଣୀ ମା’ଙ୍କ ୪ଟି ରୁପା ଆଖି ଓ ନାକ ପଡିଥିବା ଦେଖିଥିଲେ। ପୂଜକ ଶ୍ରୀ ମିଶ୍ର ପ୍ରଥମେ ଏହାକୁ ଦେଖି ବିଶ୍ୱାସ କରି ପାରିନଥିଲେ। ପରେ ଏହାକୁ ନେଇ ପୂଜକ ଶ୍ରୀ ମିଶ୍ର ମନ୍ଦିର ପରିଚାଳନା କମିଟି ଓ ଉମରକୋଟ ଥାନାକୁ ଅବଗତ କରାଇ ଥିଲେ । ପରିଚାଳନା କମିଟି ସଭ୍ୟ ବୁଲୁ ପଟନାୟକ ଓ ନିର ନାୟକ ମନ୍ଦିରରେ ପହଞ୍ଚି ସବୁ ଦେଖିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି ।