କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ଦାୟିତ୍ବ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତକୁ ନେଇଛନ୍ତି। କୋଟି କୋଟି ଟଙ୍କାର ଅନୁଦାନ ବି ଖର୍ଚ୍ଚ ହେଉଛି ବିଭିନ୍ନ ଯୋଜନାରେ। କିନ୍ତୁ ପ୍ରକଳ୍ପ ଶେଷ ହେବା ପରେ କେଉଁଟା ଉଦ୍ଘାଟନ ପରେ ତାଲା ପକାଇ ରଖାଯାଉଛି ତ’ କେଉଁଟା ଆଦୌ ଲୋକାର୍ପଣ କରାଯାଉନାହିଁ। ଉଦ୍ଘାଟନ ପରଠୁ ଗଲା ଚାରିବର୍ଷ ହେବ କିଭଳି ରାଜ୍ୟର ଦ୍ବିତୀୟ ବ୍ୟୟବହୁଳ ଅଡିଟୋରିୟମ୍ ବା ଜିଲ୍ଲା ସ˚ସ୍କୃତି ଭବନ କାର୍ଯ୍ୟକ୍ଷମ ହେଇପାରୁନାହିଁ, ଏ କଥା ସମସ୍ତେ ଜାଣିଛନ୍ତି। କିନ୍ତୁ ଏବେ ଆଉ ଏକ ଏଭଳି ଅଧକୋଟିର ପ୍ରକଳ୍ପର ବିପର୍ଯ୍ୟସ୍ତ ସ୍ଥିତି ସାମ୍ନାକୁ ଆସିଛି, ଯାହାର ପ୍ରାୟ ଦେଢ଼ବର୍ଷ ତଳୁ କାମ ସରିଥିଲେ ବି ଉଦ୍ଘାଟନ ହୋଇପାରୁନାହିଁ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନାକ ତଳେ ରହିଥିବା ଏହି ପ୍ରକଳ୍ପର ନାଁ ହେଉଛି ‘ଗୋବରୀ ରିଭର୍ଫ୍ରଣ୍ଟ୍’। କାମ ସାରି ଠିକାଦାର ପୂର୍ତ୍ତ ବିଭାଗ-୧ରୁ ବିଲ୍ ନେଇ ସାରିଲେଣି। ହେଲେ ପ୍ରଶାସନ ପାଞ୍ଜିରେ ଉଦ୍ଘାଟନ ପାଇଁ ଗଲା ବର୍ଷେରୁ ଅଧିକ ଦିନ ହେବ ଶୁଭ ବେଳା ଜୁଟୁନାହିଁ ବୋଲି ଏହି ଅଧକୋଟିରୁ ଅଧିକ ଟଙ୍କାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ତାର ସୌନ୍ଦର୍ଯ୍ୟ ହରାଇ ନଷ୍ଟ ହେବାକୁ ବସିଲାଣି। ଅଥଚ, ସେହି ବାଟ ଦେଇ ଜିଲ୍ଲାପାଳଙ୍କଠୁ ଅନ୍ୟ ପ୍ରାଶାସନିକ ଅଧିକାରୀମାନେ ଯାଉଥିଲେ ବି ପ୍ରକଳ୍ପ କାର୍ଯ୍ୟକ୍ଷମ ଦିଗରେ କାହାରି ନିଘା ନାହିଁ। ଏହା ସୂଚାଇ ଦେଉଛି ଯେ ଏକ ବିକଶିତ କେନ୍ଦ୍ରାପଡ଼ାର ଚେହେରା ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି, ସେଥିରେ କିଭଳି ଅଧସ୍ତନ ସରକାରୀ ଅଧିକାରୀମାନେ ଅନ୍ତରାୟ ସାଜିଛନ୍ତି; ଗୋବରୀ ରିଭର୍ ଫ୍ରଣ୍ଟ୍ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ବିକଳ ଅବସ୍ଥା ଏହାର ଗୋଟିଏ ଉଦାହରଣ ମାତ୍ର।
ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ କାର୍ଯ୍ୟକାଳ ସମୟରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯୋଜନା ମୁତାବକ, ଗୋବରୀ କେନାଲ୍ ପାର୍ଶ୍ବ ଚିଲିଖାନାଠୁ ନୂଆ ବସଷ୍ଟାଣ୍ତ୍ ଯାଏ ୭୦୦ମିଟର୍ ପାଚେରି ଉଠାଯାଇ କ˚କ୍ରିଟ୍ ବାଡ଼ା ନିର୍ମାଣ ହେଲା। ମଝିରେ ମଝିରେ ବିଶ୍ରାମଗୃହ, ଗାଧୁଆଘାଟ ବି ହେଲା। ଟାଇଲ୍ ବିଛାଯାଇ ଚଲାପଥ କରାଯିବା ସହିତ ଅତ୍ୟାଧୁନିକ ଷ୍ଟ୍ରିଲ୍ ଲାଇଟ୍ ଲଗାଯାଇଛି। ମୋଟ ଉପରେ ଏ ବାବଦକୁ ୫୩ଲକ୍ଷ ୬୮ହଜାର ଟଙ୍କା ଖର୍ଚ୍ଚ ହେଇଛି। କିନ୍ତୁ ଉଦ୍ବେଗର ବିଷୟ ହେଉଛି ଯେ, ଏଯାଏ ତାହା ଉଦ୍ଘାଟନ ହେଇପାରିଲା ନାହିଁ। ଉଦ୍ଘାଟନ ନ ହେବାରୁ ସ˚ପ୍ରତି ଏହି ବିସ୍ତୀର୍ଣ୍ଣ ଫୁଟପାଥ୍ ଜବରଦଖଲକୁ ଚାଲିଯିବା ସହିତ ଅଧିକା˚ଶ ସ୍ଥାନ ଗ୍ୟାରେଜ୍ ଓ କବାଡ଼ିଆଖାନାରେ ପରିଣତ ହେଇଯାଇଛି। ଏପରିକି ନିର୍ମାଣ ହୋଇଥିବା ବିଶ୍ରାମଗୃହ ଛାତ ତଳେ କେଉଁଠି ଗାଈ ବନ୍ଧା ଯାଉଛି ତ’ କେଉଁଠି ବାଇକ୍ ପାର୍କି˚ସ୍ଥଳୀ ପାଲଟିଛି। ଅଥଚ, ସେହି ବାଟ ଦେଇ ପ୍ରତିଦିନ ପ୍ରାଶାସନିକ ଅଧିକାରୀମାନେ ଅଫିସ୍ ଯାଉଥିଲେ ବି ପ୍ରକଳ୍ପର ଏଭଳି ଦୟନୀୟ ଅବସ୍ଥା କାହାରି ମନକୁ ବିଚଳିତ କରିପାରୁନାହିଁ। ଏବେକାର ତାଜା ସ୍ଥିତି ହେଉଛି ଯେଉଁ ମୂଲ୍ୟବାନ୍ ଷ୍ଟ୍ରିଟ୍ ଲାଇଟ୍ ଲାଗିଥିଲା, ତାହା ଏବେ ନଷ୍ଟ ହେବାକୁ ବସିଲାଣି। ତଳେ ବିଛାଯାଇଥିବା ଚକାଚକ୍ ଟାଇଲ୍ ଅପରିଷ୍କାର ହେଇ ପଡ଼ିଛି। ହେଲେ କେଉଁ କାରଣ ପାଇଁ ଏହା ଉଦ୍ଘାଟନ ହେଇପାରୁନାହିଁ, ତାହା ବୁଝାପଡ଼ୁନାହିଁ। ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ଜିଲ୍ଲାର ବିକାଶ ପାଇଁ ଅନୁଦାନର ଅଭାବ ରଖୁନାହାନ୍ତି। ବିଭିନ୍ନ ଯୋଜନାରେ ଅଜସ୍ର ଅର୍ଥ ଖର୍ଚ୍ଚ ହେଉଛି। ହେଲେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବା ପ୍ରକଳ୍ପଗୁଡ଼ିକ ଯଦି ଲୋକଙ୍କ କାମ ଆସିବ ନାହିଁ, ତା’ହେଲେ ଧରିନେବାକୁ ପଡ଼ିବ ଯେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ସ୍ବପ୍ନକୁ କାର୍ଯ୍ୟକାରୀ କରିବାରେ ଅଧିକାରୀମାନେ କଣ୍ଟା ସାଜିଛନ୍ତି। ଗୋବରୀ ରିଭର୍ଫ୍ରଣ୍ଟ୍ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ଉଦ୍ଘାଟନ ନ ହେବା ଏହାର ପ୍ରମାଣ ଦେଉଛି। ଏଇଥିପାଇଁ ଯେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ସହରବାସୀ ଉପକୃତ ହେଇଥା’ନ୍ତେ। ଗୋବରୀକୂଳରେ ସକାଳ ଓ ସ˚ଧ୍ୟା ଭ୍ରମଣ ସହିତ ବିଶ୍ରାମଗୃହରେ ଖାଲି ମୁହୂର୍ତ୍ତ କଟାଇ ପାରିଥା’ନ୍ତେ। କିନ୍ତୁ ପ୍ରାଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ କାରଣରୁ ତାହା ଏଯାଏ ସମ୍ଭବ ହେଇପାରିଲା ନାହିଁ। ଏପରି ସ୍ଥିତିରେ ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଅଧିକାରୀଙ୍କୁ ଆଉ କେତେ କାଳ ଲାଗୁଛି, ତାହା ଏବେ ଦେଖିବାର ବିଷୟ ହୋଇଛି।