ଡିଡାଇ ଉନ୍ନୟନ ସଂସ୍ଥାରେ ଦୁର୍ନୀତିର ଗନ୍ଧ

ଚାଷୀଙ୍କୁ ଅଦା, ହଳଦୀ, କନ୍ଦମୂଳ ବିହନ ନଦେଇ ଫିଙ୍ଗି ଦିଆଯାଉଛି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଦିମ ଆଦିମ ଜନଜାତି ବଣ୍ଡା ଏବଂ ଡିଡାଇ ଭଳି ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ଏମାନଙ୍କ ଉନ୍ନତି ନିମନ୍ତେ ସରକାର ଉନ୍ନୟନ ସଂସ୍ଥା ମଧ୍ୟ ଖୋଲିଛନ୍ତି। ବଣ୍ଡାଙ୍କ ଉନ୍ନତି ପାଇଁ ବଣ୍ଡା ଉନ୍ନୟନ ସଂସ୍ଥା ଏବଂ ଡିଡାଇଙ୍କ ପାଇଁ ଡିଡାଇ ଉନ୍ନୟନ ସଂସ୍ଥା। ଏହି ଦୁଇ ସଂସ୍ଥାରେ ଆଦିମ ଜନଜାତିଙ୍କ ଉନ୍ନତି ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ଜନଜାତି ଆଜି ବି ଅବହେଳିତ ହୋଇ ରହିଛନ୍ତି। ଖଇରପୁଟର ୫ ହଜାର ଫୁଟ୍‌ ଘାଟି ଉପରେ ବଣ୍ଡା ସଂପ୍ରଦାୟର ଲୋକେ ବସବାସ କରୁଥିବା ବେଳେ କୁଡୁମୁଲୁଗୁମ୍ମା, କୋରକୋଣ୍ଡା ଏବଂ ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ଡିଡାଇ ସମ୍ପ୍ରଦାୟକ ଲୋକେ ବସବାସ କରୁଛନ୍ତି। ପ୍ରାୟ ୫୮ଟି ଗ୍ରାମରେ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ଜଣାପଡିଛି।

ଡିଡାଇ ସମ୍ପ୍ରଦାୟର ଲୋକେ କ୍ଷୁଦ୍ର ଚାଷୀ ହୋଇଥିବା ବେଳେ ନିଜ ବାଡିରେ ଧାନ, ମାଣ୍ଡି, ଅଦା, ହଳଦୀ, ସୁଆଁ, କନ୍ଦମୂଳ ଭଳି ବିଭିନ୍ନ ଖାଦ୍ୟ ଶସ୍ୟ ଉତ୍ପାଦନ କରି ତାକୁ ବଜାରରେ ବିକି ନିଜର ପ୍ରତିପୋଷଣ କରୁଛନ୍ତି।ଏମାନଙ୍କର ଉନ୍ନତି ନିମନ୍ତେ ଡିଡାଇ ଉନ୍ନୟନ ସଂସ୍ଥା କୁଡୁମୁଲୁଗୁମ୍ମାରେ ସ୍ଥାପିତ କରାଯାଇଛି। ଏହି ସଂସ୍ଥା ମାଧ୍ୟମରେ ଗ୍ରାମକୁ ରାସ୍ତାଘାଟ ସହ ଲୋକଙ୍କ ଉନ୍ନତି ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଫଳ ଶୂନ ରହିଛି। ଏହି ଆଦିମ ଜନଜାତିଙ୍କ ପାଇଁ ବିକାଶ ନିର୍ବାହ ପ୍ରକଳ୍ପ (ଓପିଲିପି) ମାଧ୍ୟମରେ ୫୮ଟି ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ସମିତି (ଭିଡିସି) କାର୍ଯ୍ୟ କରୁଛି। ଏହି ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ଅନେକ ଅନିୟମିତତା ଏବଂ ଦୁର୍ନୀତି ଏବେ ପଦାକୁ ଆସିଛି।ଏହି ପ୍ରକଳ୍ପ ପ୍ରୋଜେକ୍ଟ ମ୍ୟାନେଜର ଲୋକଙ୍କ ସହ ଆଲୋଚନା ନକରି ନିଜ ଇଛାରେ ସେ ସମସ୍ତ କାମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଅଦା ହଳଦୀ, କନ୍ଦମୂଳ ଇତ୍ୟାଦି ଡିଡାଇ ଲୋକଙ୍କୁ ପ୍ରଦାନ କରାନଯାଇ ଚିତ୍ରକୋଣ୍ଡା ଡ୍ୟାମରେ ଫିଙ୍ଗି ଦିଆଯାଉଛି।

ଏ ସଂପର୍କରେ ଡିଡାଇର ସ୍ବତନ୍ତ୍ର ଅଧିକାରୀ କିଛି ଜାଣୁନଥିବା କୁହାଯାଇଛି। ମାଥିଲି ବିଡିଓ ଆଶିଷ କୁମାର ଭୋଇଙ୍କୁ ଡିଡାଇର ଦାୟିତ୍ବ ପ୍ରଦାନ କରାଯାଇଛି। ତେବ ସେ ନିଜ ବ୍ଲକ ବିଷୟରେ ସବୁବେଳେ ବ୍ୟସ୍ତ ରହୁଥିବା ବେଳେ ଡିଡାଇ କାର୍ଯ୍ୟାଳୟରେ ହେଉଥିବା ଦୁର୍ନୀତି ସମ୍ପର୍କରେ କିଛି ବି ଜାଣୁନଥିବା ସ୍ବାଭିମାନ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି। ଏବେ ଡିଡାଇ ଲୋକଙ୍କୁ ଅଦା, ହଳଦୀ, କନ୍ଦମୂଳ ଇତ୍ୟାଦି ପ୍ରଦାନ ନେଇ ଡିଡାଇ କାର୍ଯ୍ୟାଳୟ ତରଫରୁ ନିର୍ଦେଶ ରହିଥିବା ବେଳେ ବିଭାଗୀୟ ଅଧିକାରୀମାନେ ଯନ୍ତ୍ରୀ ଘାଟରେ ପ୍ରାୟ ୧୪୦ ପ୍ୟାକେଟ ଅଦା, ହଳଦୀ ଇତ୍ୟାଦି ପକାଇ ଚାଲିଯାଇଛନ୍ତି। ସେସବୁ ଏବେ ନଷ୍ଟ ହେବାକୁ ବସିଲାଣି। ସେହିଭଳି ଅଣ୍ଡ୍ରାପାଲୀର ଭୁଷଙ୍ଗପଦରରେ ମଧ୍ୟ ଫିଙ୍ଗି ଦିଆଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏପରିକି ବହୁ ଜିନିଷ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଫିଙ୍ଗି ଦେଇଥିବା ଅଭିଯୋଗ କରାଯାଇଛି।

Sambad

ତେବେ ଏନେଇ ଡିଡାଇର ସ୍ବତନ୍ତ୍ର ଅଧିକାରୀ ଦାୟିତ୍ବରେ ଥିବା ମାଥିଲି ବିଡିଓ ଆଶିଷ କୁମାର ଭୋଇଙ୍କୁ ପଚାରିବାରୁ ସେ ଏସବୁ ବିହନ ବଣ୍ଟନ କରାଯାଇଥିବା ଯୁକ୍ତି ବାଢିଥିଲେ। ତେବେ ସେ ଯାହା କହୁଥିଲେ ତାହା ନାକାମାମୁଡି ଏବଂ ଅଣ୍ଡ୍ରାପାଲୀ ପଞ୍ଚାୟତର କିଛି ଗ୍ରାମରେ ଏହି ବିହନ ବଣ୍ଟନ କରାଯାଇଛି। ତେବେ ଏଥିରେ ମଧ୍ୟ ଦୁର୍ନୀତି ରହିଛି। ଜଣକୁ ଦୁଇ କ୍ବିଣ୍ଟାଲ କିମ୍ବା ତିନି କ୍ବିଣ୍ଟାଲ ବିହନ ଦେବା ପାଇଁ ନିର୍ଦେଶ ରହିଥିବା ବେଳେ ତିନି ଜଣଙ୍କୁ ମାତ୍ର ଗୋଟିଏ ବସ୍ତାରେ ଅଦା, ହଳଦୀ ଦେଇ ଦାୟିତ୍ବ ସାରି ଦେଇଥିଲେ। ତେବେ ଏହାର ଉଚିତ ତଦନ୍ତ ହେଲେ ସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ୫୮ଟି ଭିଡିସି ବା ଗ୍ରାମ୍ୟ ଉନ୍ନୟନ ସମିତିକୁ ଟଙ୍କା ଦିଆଯିବା ପରେ ଏହି ସମିତି ବିଭାଗ ତରଫରୁ ଆସୁଥିବା ବିହନକୁ ଖରିଦ କରିଥାନ୍ତି। ତେବେ ଭିଡିସି ମାନଙ୍କର ଅଭିଯୋଗ ହେଲା ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରଖାଯାଇଛି। ସେମାନଙ୍କର ସମସ୍ତ ଖାତାପତ୍ର ବିଭାଗୀୟ ଅଧିକାରୀମାନେ ରଖିଛନ୍ତି। କେତେ ଟଙ୍କା ଆସୁଛି କେତେ ଉଠାଯାଉଛି ସେମାନେ କିଛି ଜାଣିନଥିବା କହିଥିଲେ। ତେବେ ସ୍ବତନ୍ତ୍ର ଅଧିକାରୀ ଶ୍ରୀ ଭୋଇ କିନ୍ତୁ ଭିଡିସିକୁ ଟଙ୍କା ଯାଉଛି ଏବଂ ସେମାନେ କିଣୁଛନ୍ତି ବୋଲି ପ୍ରକାଶ କରିଥିଲେ। ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଅଟେ ବୋଲି ଡିଡାଇ ଚାଷୀ ଅଭିଯୋଗ କରିଛନ୍ତି।

ତେବେ କିଏ ସତ କହୁଛି ଏହାର ଉଚିତ ତଦନ୍ତ ହେଲେ ସବୁ ପଦାକୁ ଆସିବ ବୋଲି କୁହାଯାଇଛି। ପ୍ରକାଶ ଥାଉ କି, ଗତ କିଛି ଦିନ ତଳେ ଶତାଧିକ ଡିଡାଇ ଚାଷୀ ଜିଲ୍ଲାପାଳ ବିଶାଳ ସିଂହଙ୍କୁ ଭେଟି ଏନେଇ ଅଭିଯୋଗ ମଧ୍ୟ କରିଥିଲେ। ଜିଲ୍ଲାପାଳ ଏହାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ତନଦ୍ତ କରାଯାଇନଥିବାରୁ ଚାଷୀମାନେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଆଟିଡିଏର ପ୍ରକଳ୍ପ ପ୍ରଶାସକଙ୍କୁ ମଧ୍ୟ ଏହାର ତଦନ୍ତ କରିବା ପାଇଁ ଗତ ୫ ତାରିଖରେ ଏବଂ ୮ ତାରଖରେ ଦରଖାସ୍ତ ପ୍ରଦାନ କରାଯାଇଥିବା ଲୋକେ କହିଥିଲେ। ତେଣୁ ଜଣେ ସ୍ଥାୟୀ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି କରିବା ପାଇଁ ଦାବି କରାଯାଇଛି। ଯେଉଁ ପ୍ରୋଜେକ୍ଟ ମ୍ୟାନେଜର ରହିଛନ୍ତି ତାଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି ମଧ୍ୟ ଦାବି ହୋଇଛି।

ସମ୍ବନ୍ଧିତ ଖବର