ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏବେ ଚାଲିଛି ପାଣି ପଞ୍ଚାୟତ ପକ୍ଷ। ଏହି ପକ୍ଷ କେବଳ କାଗଜ କଲମରେ ଚାଲିଥିବା ବେଳେ ବାସ୍ତବରେ ଜଳ ସେଚନ ଜିଲ୍ଲାରେ ଆଶାନୁରୂପକ ଭାବେ ହେଉ ନାହିଁ। ଯେଉଁ କାରଣରୁ ଭଦ୍ରକ ଜିଲ୍ଲାରେ ରବି ଚାଷ ଏକ ରକମ ଠପ୍ ହୋଇଛି। ରବି ଚାଷ ପାଇଁ ଚାଷୀଙ୍କ ପ୍ରତି ସରକାରୀ ପ୍ରୋତ୍ସାହନ ନାହିଁ। ଯେଉଁଥି ପାଇଁ ଭଦ୍ରକ ଜିଲ୍ଲାରେ ରବି ଚାଷ କରିବା ପାଇଁ ଚାଷୀ ଆଉ ମନ ବଳାଉ ନାର୍ହି। ଏଥିପାଇଁ କେବଳ ଭଦ୍ରକ ଜିଲ୍ଲାରେ ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମି ପଡିଆ ପଡିଛି। ଏଣେ ଜମି ପଡିଆ ପଡୁଥିବା ବେଳେ ଭଦ୍ରକ ଜିଲ୍ଲାର ବେକାର ଯୁବକ ଯୁବତୀମାନେ ଦାଦନ ଖଟିବା ପାଇଁ ବାହାର ରଜ୍ୟକୁ ଯାଉଛନ୍ତି। ସୂଚନାରୁ ପ୍ରକାଶ ଯେ, ଜିଲ୍ଲାରେ ୭ ଟି ବ୍ଲକରେ ରହିଥିବା ବିଭିନ୍ନ ପାଣି ପଞ୍ଚାୟତକୁ ନେଇ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି। ସଭା, ଶୋଭାଯାତ୍ରା, ମିଟିଂ ଆଉ ଇଟିଂରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଚାଷୀଙ୍କୁ ଜଳ ସେଚନ ବ୍ୟବସ୍ଥାକରିବା ପାଇଁ ଧାନ ଚାଷ ପରେ ଅର୍ଥକାରୀ ତୈଳ ବୀଜ ଓ ପନିପରିବା ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଇଛି। ହେଲେ ଧାନ ହେଉକି ଅଣ ଧାନ ରବିରେ ଠପ୍ ମାରିଛି। ଚାଷ, ଖରିଫ୍ରେ ୯୦ ପ୍ରତିଶତ ଜମିରେ ଧାନ ଚାଷ କରାଯାଉଥିବା ବେଳେ ରବିରେ ମାତ୍ର ୨୦ ପ୍ରତିଶତ ଚାଷ ହେଉ ନାହିଁ। ଦିନକୁ ଦିନ ରବି ଚାଷ ପ୍ରତି ଲୋକଙ୍କର ଆଗ୍ରହ କମି କମି ଯାଉଛି। ସରକାର ରବିରେ ଡାଲି, ତୈଳ ବୀଜ, ମସଲା ଜାତୀୟ ଚାଷ କରିବା ପାଇଁ ଯୋଜନା କରୁଥିବା ବେଳେ ଫୁଲ ଓ ଫଳ ଚାଷ ପାଇଁ ଯୋଜନା କରି ଅର୍ଥ ଯୋଗାଇ ଦେଉଛନ୍ତି। ଏଥିପାଇଁ କୃଷି ଏକଂ ଉଦ୍ୟାନ ବିଭାଗ ଜରିଆରେ ମାଗଣା ସାର ଓ ବିହନ ଯୋଗାଇ ଦେବାକୁ ସବୁ ପ୍ରକାର ଯୋଜନା କରାଯାଇଛି। ମାତ୍ର ପ୍ରତିବର୍ଷ ଜିଲ୍ଲାରେ ରବି ଚାଷ ଫ୍ଲପ ମାରିଛି। ଜିଲ୍ଲା କୃଷି ବିଭାଗ ପାଇଁ ରବି ଚାଷ ପାଇଁ ଯେତିକି ଟାର୍ଗଟ ରହିଛି। ତାହାର ୬୦ ପ୍ରତିଶତ ଲକ୍ଷ ପୂରଣ ହେଉନି। ଏଥିପାଇଁ କୃଷି ବିଭାଗ ଚାଷୀଙ୍କ ଭିତରେ କାଦୁଅ ଫିଙ୍ଗା ଫିଙ୍ଗି ହେଉଥିବା ବେଳେ ବାସ୍ତବ କଥା ହେଉଛି ଜଳ ସେଚନର ସୁବିଧା କରାଯାଉ ନାହିଁ। ଜିଲ୍ଲାରେ ଥିବା ପ୍ରମୁଖ କେନାଲ ଓ ଶାଖା କେନାଲରେ ଆଉ ଖରାଟିଆ ଚାଷ ପାଇଁ ଜଳ ଯୋଗଣ କରାଯାଉ ନାହିଁ। ସେହିପରି କାଢା ନାଳ ସବୁ ପୋତି ହୋଇ ପଡିଛି। ଅନେକ ସ୍ଥାନରେ କଲଭର୍ଟ ଭାଙ୍ଗି କାଢାନାଳ ପୋତି ହୋଇଛି। ଏହି ସବୁ କାଢାନାଳରେ ମରାମତି କରାଯାଉ ନାହିଁ। ପାଣି ପଞ୍ଚାୟତ ଗୁଡିକ ଏହି ସବୁ କାଢା ନାଳର ପୁର୍ନରୁଦ୍ଧାର କରିବା କଥା। ମାତ୍ର ପାଣି ପଞ୍ଚାୟତ ଅର୍ଥକୁ କିଛି ଯନ୍ତ୍ରୀ ଓ ଠିକାଦର ଲୁଟି ନେଉଥିବା ବେଳେ ବାସ୍ତବରେ ଚାଷୀଙ୍କ ଜମିରେ ଜଳ ସେଚନର ସବିଧା ମିଳିପାରୁ ନାହିଁ। ଜିଲ୍ଲାର ସାଳନ୍ଦୀ, ବୈତରଣୀ, କାଢା ନାଳ, କ୍ଷୁଦ୍ର ଜଳ ସେଚନ ଓ ଉଠା ଜଳ ସେଚନ ବ୍ୟବସ୍ଥା ରହିଥିବା ବେଳେ ଏହିସବୁ ବ୍ୟବସ୍ଥା ଏବେ ଅଚଳ ହୋଇ ପଡିଛି। ସାଳନ୍ଦୀ ବାମ ଓ ଦକ୍ଷିଣ କେନାଲ ଜମିକୁ ୧ ଲକ୍ଷ ୨୦ ହଜାର ହେକ୍ଟର ଜମିକୁ ଜଳ ସେଚନର ସୁବିଧା ରହିଛି। ସେହିପରି ଉଠା ଜଳ ସେଚନ ବ୍ୟବସ୍ଥାରେ ୩୦ ହଜାର ହେକ୍ଟର ଜମିକୁ ଜଳ ସେଚନର ସୁବିଧା ରହିଛି। କ୍ଷୁଦ୍ର ଜଳ ସେଚନ ଓ ଗଭୀର ନଳକୂପ ଓ ସମୁଦ୍ର କୂଳିଆ ଅଞ୍ଚଳ କ୍ରିକ୍ ଜଳ ସେଚନ ବ୍ୟବସ୍ଥା ମାଧ୍ୟରେ ପର୍ଯ୍ୟାପ୍ତ ଜଳ ସେଚନର ବ୍ୟବସ୍ଥା ରହିଥିବା ବେଳେ ରବି ଚାଷ ବେଳକୁ ଏହି ସବୁ ପ୍ରକଳ୍ପ ଗୁଡିକ ଫେଲ ମାରୁଛି।
ଜିଲ୍ଲାରେ ମୋଟ ୧ ଲକ୍ଷ ୭୧ ହଜାର ୯୭୮ ହେକ୍ଟର କୃଷି ଉପଯୋଗୀ ଚାଷ ଜମି ରହିଥିବା ବଳେ ସେଥିରେ ଚଳିତବର୍ଷ ୧ ଲକ୍ଷ ୬୨ ହଜାର ୪୨୦ ହେକ୍ଟର ଜମିରେ କେବଳ ଖରିଫ୍ ଧାନ ଚାଷ କରାଯାଇଛି। ଚଳିତବର୍ଷ ରବି ଚାଷରେ ଏହି ଜମିରୁ ୨୦ ପ୍ରତିଶତ ଜମିରେ ରବି ଚାଷ ନ ହେବା ଦୁର୍ଭାଗ୍ୟଜନକ। ଗତବର୍ଷ ରବି ଚାଷ ପାଇଁ ୪୦ ହଜାର ହେକ୍ଟର ଜମିରେ ରବି ଚାଷ ପାଇଁ ଲକ୍ଷ୍ୟ ରଖା ଯାଇଥିବା ବେଳେ ମାତ୍ର ୩୦ ହଜାର ହେକ୍ଟର ଜମିରେ ରବି ଚାଷ କରାଯାଇଥିଲା। ଜଳ ସେଚନର ସୁବିଧା ନଥିବା ଆଳ ଦେଖାଇ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ନଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତବର୍ଷର ବିଫଳତା ପରେ ଚଳିତବର୍ଷ ଜିଲ୍ଲା କୃଷି ବିଭାଗ ପକ୍ଷରୁ ୩୫ ହଜାର ହେକ୍ଟର ଜମିରେ ରବି ଚାଷ କରିବା ପାଇଁ ଯୋଜନା କରାଯାଇଛି। ଦିନକୁ ଦିନ ରବି ଚାଷର ଟାର୍ଗେଟ ବିଭାଗ କମାଇ କମାଇ ଆସୁଥିବାରୁ ଜଣାପଡୁଛି ଯେ, ରବି ଚାଷ ପାଇଁ ଉଭୟ ଚାଷୀ ଓ ସରକାରଙ୍କର ଆନ୍ତରକିତା ନାହିଁ। ରବି ଚାଷରେ ସାଳନ୍ଦୀ ଜଳ ଭଣ୍ଡାର ବିଶେଷ କରି ହଦଗଡ ଡ୍ୟାମରେ ଜଳାଭାବ। ଜିଲ୍ଲାର ସାଳନ୍ଦୀ କେନାଲ ଡିଭିଜନ କେନାଲ ମରାମତି ଆଳରେ ବର୍ଷବର୍ଷ ଧରି କେନାଲରେ ଜଳ ଯୋଗାଣ ବନ୍ଦ କରିବା କାରଣରୁ ଖରାଟିଆ ଚାଷରେ ଜଳାଭାବ ଦେଖା ଦେବାରୁ ଚାଷୀ ଆଉରବି ଧାନ ଚାଷ ପ୍ରତି ଆଗ୍ରହ ପ୍ରକାଶ କଲେ ନାହିଁ ବୋଲି ଅନେକ ଚାଷୀ ଅଭିଯୋଗ ଉଠାଇଛନ୍ତି। ରବି ଚାଷର ଲକ୍ଷ୍ୟ ଜିଲ୍ଲାରେ ସଫଳ ହେଉଥିବା ବେଳେ ଏ ଦିଗ ପ୍ରତି ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ କୃଷକ ନେତା ତ୍ରିଲୋଚନା ପଣ୍ଡା, ଚନ୍ଦ୍ରଶେଖର ନାୟକ ପ୍ରମୁଖ ଦାବି ଉଠାଇଛନ୍ତି। ଖରାଦିନେ ଯେଉଁ ଧାନ ଚାଷ କରାଯାଉଛି। ତାହା ଅମଳ କରିବା ପରେ ଏହାର ବିକ୍ରି ପାଇଁ ମଧ୍ୟ ଚାଷୀ ହଇରାଣ ହେଊଛି। କାରଣ ରବି ଧାନ ଅମଳ କରିବା ପରେ ବିକ୍ରି କରିବା ପାଇଁ ସରକାରୀ ମଣ୍ଡିର ବ୍ୟବସ୍ଥା ନାହିଁ। ଯେଉଥିପାଇଁ ଆମ ଅଞ୍ଚଳର ଲୋକେ ରବି ଧାନ ଚାଷ କରୁ ନାହାନ୍ତି ବୋଲି ଓଡଙ୍ଗର ଚାଷୀ ସୁକାନ୍ତ ସାହୁ ପ୍ରକାଶ କରିଥିବା ବେଳେ ଭଦ୍ରକର ନାଲଗରାର ଚାଷୀ ସୀତାକାନ୍ତ ସାହୁ ଓ ଗଣିଜାଙ୍ଗର ଚାଷୀ ସତ୍ୟ ପ୍ରକାଶ ନାୟକ ଏଇ ସମାନ କଥା କହିଛନ୍ତି।