ଖୋର୍ଦ୍ଧା: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରିବା ଆଦି ଦୁଇ ଦଫା ଦାବିରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଚାଲିଥିବା ଧାରଣା ଆଜି ସୋମବାର ତୃତୀୟ ଦିନରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲା ସଂଘ ପକ୍ଷରୁ ୧୮ ତାରିଖ ଠାରୁ ସମୂହ ଛୁଟିରେ ଯିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଦାବି ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ସଂଘର ସମ୍ପାଦକ ଲାଲବାହାଦୁର ରଞ୍ଜିତ କହିଛନ୍ତି ଯେ ସଂଘ ପକ୍ଷରୁ ଅନେକ ଦିନ ଧରି ଦୁଇଟି ପ୍ରମୁଖ ଦାବି ପୂରଣ କରିବାକୁ ରାଜ୍ୟ ସରକାରଙ୍କ ବିଭିନ୍ନ ସମୟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

Advertisment

ଏହାସତ୍ବେ ସେମାନଙ୍କ ଦାବି ପୂରଣ ହୋଇ ପାରିନାହିଁ। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପଦବୀର ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇରୁ ବୃଦ୍ଧି କରି ଯୁକ୍ତ ତିନି କରିବା। ଦରମା ହାର ସ୍ତର-୫ରୁ ସ୍ତର-୯ ବୃଦ୍ଧି କରିବା। ନୂତନ ପଦବୀ ସୃଷ୍ଟି କରିବା ସହ ୧୦ ବର୍ଷ କାର୍ଯ୍ୟ କରିଥିବା ପିଇଓଙ୍କୁ ପଦୋନ୍ନତି ପ୍ରଦାନ କରିବା ଆଦି ଦାବି ରହିଛି। ଆଜିର ଧାରଣାରେ ଜିଲ୍ଲା ସଂଗଠନର ପ୍ରସନ୍ନ କୁମାର ବାରିକ, ବିକ୍ରମ ପାତାଳସିଂହ, ସୁବ୍ରତ ନାୟକ, ରବୀନ୍ଦ୍ର କୁମାର ପୃଷ୍ଟି, ଅନୀତା ମହାନ୍ତିଙ୍କ ସମେତ ୪୦ରୁ ଉର୍ଦ୍ଧ୍ବ ପିଇଓ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଦୁଇ ଦଫା ଦାବି ପୂରଣରେ ଟାଳଟୁଳ ନୀତିର ପ୍ରତିବାଦରେ ପିଇଓମାନେ ଚଳିତ ମାସ ୭ ତାରିଖରୁ ୧୭ ତାରିଖ ଯାଏଁ କଳାବ୍ୟାଜ୍‌ ପିନ୍ଧିଥିଲେ। ସେମାନଙ୍କ ଦାବି ପୂରଣ ନହେଲେ ସମୂହ ଛୁଟିରେ ଯିବା ସହ ଅନିଦ୍ଦିର୍ଷ୍ଟ କାଳ ଯାଏଁ ଧାରଣାରେ ବସିବେ ବୋଲି କହିଥିଲେ।