ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍‌ ତାଳପଦା ପଞ୍ଚାୟତବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ‘ବସୁଧା’ ଯୋଜନା‌ରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ତେବେ ତ୍ରୁଟିପୂର୍ଣ୍ଣ ନିର୍ମାଣ କାମ ଯୋଗୁଁ ଏହି ପ୍ରକଳ୍ପରୁ ଲୋକଙ୍କୁ ପାଣି ମିଳୁନି। ସମାକୋଇ ନଦୀର ଚୁଆପାଣିରେ ଲୋକଙ୍କ ଶୋଷ ମେଣ୍ଟୁଛି।

Advertisment

ତାଳପଦା ପଞ୍ଚାୟତର ପଙ୍ଗା, ବଡ଼ଖମଣ, ତାଳପଦା, ଶିମିଳିପାଳ ଆ‌ଦି ଗ୍ରାମର ଲୋକେ ବର୍ଷତମାମ ସମାକୋଇ ନଦୀର ଜଳକୁ ପାନୀୟଜଳ ଭାବେ ବ୍ୟବହାର କରୁଛନ୍ତି। ଗାଁରେ ନଳକୂପ ଥିଲେ ମଧ୍ୟ ଏହାର ପାଣି ବ୍ୟବହାର ଉପଯୋଗୀ ହେଉନି। ନଳକୂପ ପାଣି ପିଇବା ଦ୍ବାରା କିଡ୍‌ନି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ବୋଲି ଗ୍ରାମବାସୀ କହିଛନ୍ତି। ତେଣୁ ସେମାନେ ସମାକୋଇ ନଦୀରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ତାଳପଦା ଗ୍ରାମରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ‘ବସୁଧା’ ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି।

ତେବେ ଏହି ‌ପ୍ରକଳ୍ପ ଲୋକଙ୍କ ସେବାରେ ଲାଗିପାରୁ ନାହିଁ। ନିର୍ମାଣ ଆରମ୍ଭରୁ ହିଁ ସମସ୍ୟା ସୃଷ୍ଟି ହୋଇଛି। ନିମ୍ନମାନର କାମ ସାଙ୍ଗକୁ ଠିକାଦାରଙ୍କ ମନମାନି ଯୋଗୁଁ ପ୍ରକଳ୍ପଟି ବହୁଦିନ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଥିଲା। ସ୍ଥାନୀୟ ଲୋକେ ଏନେଇ ବ୍ଲକ୍‌ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ କାମ ସମ୍ପୂର୍ଣ୍ଣ ହୋଇଥିଲା। ତେବେ ତ୍ରୁଟିପୂର୍ଣ୍ଣ ନିର୍ମାଣ ପାଇଁ ଏହି ପ୍ରକଳ୍ପ ଲୋକଙ୍କୁ ଜଳ ଯୋଗାଇବାରେ ଅକ୍ଷମ ହୋଇଛି। ପୂର୍ବ ଭଳି ଲୋକେ ସମାକୋଇ ନଦୀରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ଗ୍ରୀଷ୍ମପ୍ରବାହ ସମୟରେ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରୁଥିଲେ ମଧ୍ୟ ତାହା ସମ୍ଭବ ହେଉନାହିଁ। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।