ଖୋର୍ଦ୍ଧା: କୋଭିଡ ମହାମାରୀ ସମୟରେ ସହରର ଗରିବ, ମହିଳା ଆଦିଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାକୁ ୨୦୨୦-୨୦୨୧ରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ଖୋର୍ଦ୍ଧା ପୌର ପରିଷଦରେ ଯେଉଁ ଯୋଜନା ଗୁଡ଼ିକ ହୋଇଥିଲା, ସେଥିରେ ବ୍ୟାପକ ହରିଲୁଟ ହୋଇଛି। ବାଟମଙ୍ଗଳା ମନ୍ଦିର ନିକଟରେ ମିନି ପାର୍କ ନିର୍ମାଣ ପାଇଁ ଆସିଥିବା ୧୩ଲକ୍ଷ ଅନୁଦାନରୁ କେବଳ ଫଳକ ପୋତି ଆମୂଳଚୂଳ ଖାଇଯାଇଛନ୍ତି। ୨୦୨୦ ଅପ୍ରିଲ୍ ମାସରେ ରାଜ୍ୟ ସରକାର କୋଭିଡ ଯୋଗୁଁ କର୍ମ ସଂସ୍ଥାନ ହରାଇଥିବା ଦିନମଜୁରିଆ, ଗରିବଙ୍କ ପାଇଁ ଅର୍ବାନ୍ ୱେଜ୍ ଇମ୍ପ୍ଲୋଏମେଂଟ୍ ଇନିସିଏଟିଭ୍ (ୟୁଡବ୍ଲୁଇଆଇ) ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଖୋର୍ଦ୍ଧା ପୌର ପରିଷଦ ସମେତ ୧୧୪ଟି ପୌରାଂଚଳରେ ଆରମ୍ଭ ହୋଇଥିଲା। ପରବର୍ତୀ ସମୟରେ ଏହାକୁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ନାମରେ ପରିବର୍ତିତ କରିଥିଲେ। ଏହି ଯୋଜନାରେ ୨୦୨୧-୨୨ରେ ଖୋର୍ଦ୍ଧା ପୌରାଞ୍ଚଳ ପାଇଁ ଅଢ଼େଇ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅନୁଦାନ ଆସିଥିଲା। ବିଭିନ୍ନ ସ୍ଥାନରେ ପାର୍କ, ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ, ଜଳାଶୟ ପୁନରୁଦ୍ଧାର ଆଦି କାମ କରାଯାଇଥିଲା। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ଗୋଟିଏ ମଧ୍ୟ ପ୍ରକଳ୍ପ ଆଜି ଦେଖାଯାଉ ନାହିଁ। ପ୍ରମାଣ ସ୍ୱରୂପ, ଖୋର୍ଦ୍ଧା ପ୍ରବେଶ ପଥରେ ଥିବା ବାଟମଙ୍ଗଳା ମନ୍ଦିର ସଂଲଗ୍ନ ଏକ ସ୍ଥାନରେ ମିନି ପାର୍କ ନିର୍ମାଣ କରିବାକୁ ୨୦୨୧-୨୨ରେ ଯନ୍ତ୍ରୀ ମନିକା ବେହେରାଙ୍କ ପରିଚାଳନାରେ ୧୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ମଧ୍ୟରେ ୧ ବର୍ଷ ବିତିଯାଇଛି। ପ୍ରସ୍ତାବିତ ପାର୍କ କାମ ସ୍ଥାନରେ ଏକ ଚିରାଫଟା ଫଳକ ବ୍ୟତୀତ ଆଉ କିଛି ଦେଖିବାକୁ ମିଳୁନାହିଁ। ଅନେକ ପରିଶ୍ରମ ପରେ ପୌର ପରିଷଦରୁ ମଳିଥିବା ସୂଚନାରେ ୨୦୨୧-୨୨ରେ ୟୁଡବ୍ଲୁଇଆଇ ଯୋଜନାରେ ୨ କୋଟି ୬୯ଲକ୍ଷ ୯୩ ହଜାର ୩୧୩ ଟଙ୍କା ଅନୁଦାନ ମିଳିଥିଲା।

Advertisment

publive-image Sambad

ଏହା ମଧ୍ୟରୁ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧ କୋଟି ୧୨ଲକ୍ଷ ୧୫ହଜାର ୮୭୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୧କୋଟି ୫୭ଲକ୍ଷ ୭୭ହଜାର ୪୩୯ ଟଙ୍କା ବଳକା ରହିଥିଲା। ମୋଟାମୋଟି ଭାବେ ସେହି ବର୍ଷ ଅନୁଦାନର ୪୧.୫୫ ପ୍ରତିଶତ ଖର୍ଚ୍ଚ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଖର୍ଚ୍ଚ ହୋଇଥିବା ଅନୁଦାନ କେଉଁ କେଉଁ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଥିଲା ତା’ର ବିଷଦ ବିବରଣୀ ପୌର ପରିଷଦ ନିକଟରେ ନାହିଁ। କେବଳ ଏହାନୁହେଁ, ଅନେକ ପ୍ରକଳ୍ପର ସରକାରଙ୍କ ଠାରୁ ଅନୁମୋଦନ ପ୍ରସ୍ତାବର ଚିଠି ମଧ୍ୟ ପରିଷଦ ନିକଟରେ ନାହିଁ। ଏହି ସମସ୍ତ ଠାରୁ ଆହୁରି ଆଶ୍ଚର୍ଯ୍ୟ, ଯେଉଁ ଯେଉଁ ପ୍ରକଳ୍ପର ଫଳକ ଲାଗିଛି ସେଠାରେ କୌଣସି ନିର୍ମାଣ ହୋଇନଥିବା ସ୍ପଷ୍ଟ ଜଣାଯାଉଥିଲେ ମଧ୍ୟ ବର୍ତ୍ତମାନର ନବ ନିର୍ବାଚିତ ପୌର ପରିଷଦ କିମ୍ବା ବିଧାୟକ, କିମ୍ବା ଜିଲ୍ଲା ପ୍ରଶାସନ ଆପତ୍ତି କରିନାହାନ୍ତି। ଏ ସମ୍ପର୍କରେ ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ନିହାର ରଂଜନ ସାହୁଙ୍କୁ ପଚାରିବାରେ ସେ କହିଛନ୍ତ ବାଟମଙ୍ଗଳା ନିକଟର ମିନିପାର୍କ ନିର୍ମାଣ ପୂର୍ବରୁ ବିଧି ଅନୁସାରେ ଯେଉଁ ସୂଚନା ଫଳକ ଲାଗିବା କଥା ତାହା ଲାଗିଥିଲା। ତେବେ ମୁକ୍ତା ଯୋଜନା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଟିମ୍ ହିଁ ଉକ୍ତ ପ୍ରକଳ୍ପ ସମ୍ପର୍କରେ ସବିଶେଷ ତଥ୍ୟ ଦେଇପାରିବେ। ଉଭୟ ପୌରାଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି ଓ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାର ଇପସିତ ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।