ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ ବିକାଶ, ୧୧ଟି ଯୋଜନାରେ ଖର୍ଚ୍ଚ ମାତ୍ର ୩୭%

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ଗ୍ରାମାଞ୍ଚଳରେ ବିକାଶର ଗତି ମନ୍ଥର। ଜିଲ୍ଲାର ଗ୍ରାମାଞ୍ଚଳର ବିକାଶ ପାଇଁ ପ୍ରଶାସନ ଖର୍ଚ୍ଚ କରିବାର କୌଣସି ଆଗ୍ରହ ଦେଖାଉନାହିଁ। ଜିଲ୍ଲାର ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୧ଟି ପ୍ରମୁଖ ଯୋଜନାର ୫୦ ପ୍ରତିଶତ ମଧ୍ୟ ଅର୍ଥ ଖର୍ଚ୍ଚ ହୋଇ ପାରୁନାହିଁ। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ପ୍ରଗତି ରିପୋର୍ଟ ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ଯେତିକି ଅନୁଦାନ ଆସିଥିଲା ସେମଧ୍ୟରୁ କେବଳ ୩୭ ପ୍ରତିଶତ ଖର୍ଚ୍ଚ ହୋଇଛି। ତଥ୍ୟାନୁସାରେ, ମନରେଗା ଯୋଜନାରେ କେବଳ ଶତପ୍ରତିଶତ ଖର୍ଚ୍ଚ ହୋଇଛି। ଏହି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୪୩୬ କୋଟି ଟଙ୍କା ଅନୁଦାନ ଆସିଥିଲା। ନଭେମ୍ବର ସୁଦ୍ଧା ଏହି ଯୋଜନାରେ ଶତପ୍ରତିଶତ ଖର୍ଚ୍ଚ ହୋଇଛି। କିନ୍ତୁ ଏନ୍ଆରଏଲଏମ୍‌ ଯୋଜନାରେ ୪୩୪ ଟଙ୍କାର ଅନୁଦାନରେ ୧୨୫୪୦ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା, କିନ୍ତୁ ନଭେମ୍ବର ସୁଦ୍ଧା ୬୩୩୫ଟି ପ୍ରକଳ୍ପରେ ୨୮୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଗ୍ରାମୀଣ ଯୋଜନା (ଜିଜିୱାଇ)ରେ ୧୦କୋଟି ଟଙ୍କା ଖର୍ଚ୍ଚା ନହୋଇ ପଡ଼ିରହିଛି। ୧୪ଶ ଅର୍ଥ କମିଶନର ୮୪୫ କୋଟି ଟଙ୍କାରୁ ୪୩୧ଟି ପ୍ରକଳ୍ପ ପାଇଁ ୨୨୬ କୋଟି ଟଙ୍କା, ୧୫ଶ ଅର୍ଥ କମିଶନ (ସଂଯୁକ୍ତ)ରେ ୪୫୩ କୋଟି ଟଙ୍କା ମଧ୍ୟରୁ ୯୯ କୋଟି ଟଙ୍କା, ୧୫ଶ ଅର୍ଥ କମିସନ (ମିଶ୍ରିତ) ଯୋଜନାରେ ୪୦୨ କୋଟି ଟଙ୍କା ମଧ୍ୟରୁ ୧୨୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ରାଜ୍ୟ ସରକାରଙ୍କ ୪ର୍ଥ ଅର୍ଥ କମିଶନର(ଏସ୍ଏଫ୍ସି) ୫୪ କୋଟି ଟଙ୍କା ମଧ୍ୟରୁ ୨୭ କୋଟି ଟଙ୍କା, ୫ମ ଅର୍ଥ କମିସନର ୭୦୬ କୋଟି ଟଙ୍କା ମଧ୍ୟରୁ ୬୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୪ର୍ଥ ଅଣ ଏସ୍ଏଫ୍ସି ଓ ସିଏଫ୍ସିର ୨୬ କୋଟି ଟଙ୍କାରୁ ୭୫ ଲକ୍ଷ ଟଙ୍କା, ୫ମ ଅଣ ଏସ୍ଏଫ୍ସି ଓ ସିଏଫ୍ସିର ୫୦ କୋଟି ଟଙ୍କା ମଧ୍ୟରୁ ମାତ୍ର ୪୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ମୋଟାମୋଟି ଭାବେ ୨୦୨୧ ଅପ୍ରିଲ୍ ପହିଲାରେ, ଅର୍ଥାତ୍ ୨୦୨୧-୨୨ ଆର୍ଥିକ ବର୍ଷ ଆରମ୍ଭରେ ୧୧ଟି ଯୋଜନାର ୧୯୯୬ କୋଟି ଟଙ୍କା ଖର୍ଚ୍ଚ ନହୋଇ ରହିଥିଲା। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ଗୁଡ଼ିକରୁ ୧୪୨୨ କୋଟି ଟଙ୍କା ଅନୁଦାନ ମିଳିଥିଲା।

ମୋଟ ୩୪୨୧ କୋଟି ଟଙ୍କା ଅନୁଦାନ ମଧ୍ୟରୁ ନଭେମ୍ବର ଶେଷ ସୁଦ୍ଧା ୧୨୭୪ କୋଟି ଟଙ୍କା ଅର୍ଥାତ ମୋଟ ଅନୁଦାନର ୩୭ ପ୍ରତିଶତ ହିଁ ଖର୍ଚ୍ଚ କରାଯାଇଛି। ଜିଲ୍ଲାରେ ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ ଅନ୍ୟ ଅଞ୍ଚଳରେ ବିକାଶ ପ୍ରାୟତଃ ଅପହଞ୍ଚ ହୋଇ ରହିଛି। କହିବାକୁ ଗଲେ ଯଦି ୧୬ ନମ୍ବର ଓ ୫୭ ନମ୍ବର ଜାତୀୟ ରାଜପଥ ନଥାନ୍ତା ତେବେ ଅର୍ଦ୍ଧାଧିକ ଗାଁରେ ବିକାଶର ଛାଇ ପଡ଼ିବା ସ୍ୱପ୍ନ ପ୍ରାୟ ହୋଇଥାନ୍ତି। ଗତ ୪ ବର୍ଷ ଧରି ଖୋର୍ଦ୍ଧା ଜିଲ୍ଲାରେ କୌଣସି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। କୌଣସି ନୂତନ ଶିଳ୍ପ ଓ ରୋଜଗାରର ସୁଯୋଗ ତିଆରି ହୋଇପାରିନାହିଁ। ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଆଦି ସଂଖ୍ୟାଧିକ ଯୋଜନାରେ ଦୁର୍ନୀତି ଓ ଅନିୟମିତା ଯୋଗୁଁ ପ୍ରକୃତ ହିତାଧିକାରୀଙ୍କ ନିକଟର ଯୋଜନାର ଲାଭ ପହଞ୍ଚି ପାରୁନାହିଁ।

ସମ୍ବନ୍ଧିତ ଖବର