କାଜୁ ଜଙ୍ଗଲ ବିବାଦ: ଗୁଜୁରାଟୀ ବେପାରୀ କାଟିଦେଲେ ଶତାଧିକ ମୂଲ୍ୟବାନ୍ ବୃକ୍ଷ, ଆଦିବାସୀଙ୍କ ତୀବ୍ର ବିରୋଧ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଓ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ବିଭିନ୍ନ ଆଦିବାସୀଅଧ୍ୟୁଷିତ ଗ୍ରାମ ଇଲାକାକୁ ଲାଗି ରହିଥିବା କାଜୁ ଜଙ୍ଗଲର ମାଲିକାନାକୁ ନେଇ ବିବାଦ ଲାଗି ରହିଛି। ଏଭଳି ପରିସ୍ଥିତିରେ ଜଙ୍ଗଲ ଭିତରେ ଗୁଜରାଟର ଜଣେ ବେପାରୀ କହ୍ନେୟାଲାଲ୍ ହିପାନି ଦଲାଲ୍‌ଙ୍କ ଜରିଆରେ ବହୁ ଏକର ଜମି ଖରିଦ କରି ଏହାକୁ ଅକ୍ତିଆରରେ ରଖିଛନ୍ତି। ସ୍ଥାନୀୟ କିଛି ପ୍ଲଟ୍ ବ୍ୟବସାୟୀଙ୍କ ମିଶି ସେ ଜଙ୍ଗଲ ଭିତରେ ଥିବା ଶତାଧିକ ବର୍ଷ ପୁରୁଣା ମହୁଲ, ହଳନ୍ଦ, ଶାଗୁଆନ୍, କଇଁଆ, କରଡ଼ା, ବର ଓ ଓସ୍ତ ଭଳି ଶତାଧିକ ଗଛ ସମେତ କାଜୁ ଗଛକୁ ବି କାଟି ଦେଇଥିବା ଅଭିଯୋଗ ହୋଇଛି। ଜଙ୍ଗଲ ଓ ରାଜସ୍ୱ ବିଭାଗର ବିନା ଅନୁମତିରେ ମାଡ଼ୁଆତୈଲା, ତାଳତୈଲା, କଣ୍ଟାବଣି, ମାଟିଗାଡ଼ିଆ, କୁଣିଆବାଞ୍ଜର୍ ଓ ଡିମିରିପଲ୍ଲୀ ଅଞ୍ଚଳରେ ଥିବା ଏଭଳି ମୂଲ୍ୟବାନ୍ ଗଛ କଟାଯାଇଥିବାରୁ କ୍ରିୟାଧର, ବରବରା, ଆକୁଲକୁମ୍ପା, ପୁରୁଣାପାଣି ଓ କଟକଟି ଭଳି ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡ଼ିକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସାରା ଇଲାକାରେ ଆଦିବାସୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଜଗି ରହିବା ସହ ଜଙ୍ଗଲ ଭିତରକୁ କାହାକୁ ଛାଡ଼ୁନାହାନ୍ତି। ଫଳରେ ଏମସ୍ତ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।

ଅନ୍ୟପକ୍ଷରେ ଏଥିରେ ସଂପୃକ୍ତ ଦୁଇଜଣ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ତୁରନ୍ତ ଗିରଫ କରିବା ପାଇଁ ଭାରତ କ୍ରାନ୍ତିକାରୀ କୃଷକ ସଭା ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଆଦିବାସୀ ଭାରତ ମହାସଭା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କୁଇ ସମାଜ କେନ୍ଦ୍ର ସଭାପତି ତ୍ରିନାଥ ମଲ୍ଲିକ ଓ ଆଦିବାସୀ ଭାରତ ମହାସଭା ରାଜ୍ୟ ସଂଯୋଜକ ଟୁନା ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି। ଅନ୍ୟପକ୍ଷରେ ରାଜସ୍ୱ ବିଭାଗ ଓ ବନ ବିଭାଗ ପକ୍ଷରୁ ଦୁଇ ଦିନ ହେଲା ମିଳିତ ତଦନ୍ତ ଜାରି ରହିଛି।
ଉତ୍ତର ଘୁମୁସର ବନଖଣ୍ଡ ଡିଏଫ୍‌ଓ ଅଭୟ ଦଳାଇ କହିଛନ୍ତି, ଏହି ମୂଲ୍ୟବାନ ଗଛ ଗୁଡ଼ିକ ଗୁଜରାଟର ସଂପୃକ୍ତ ବ୍ୟକ୍ତିଙ୍କ ଜମିରେ ଥିବାରୁ ଏହାକୁ ଜବତ କରାଯାଇ ପାରିବନି। କିନ୍ତୁ ବିନା ନିର୍ଦ୍ଦେଶରେ ଗଛ କଟା ଯାଇଥିବାରୁ ଏହାକୁ ଜବତ କରିବା ଦିଗରେ ପଦକ୍ଷେପ ନିଆଯିବ। ଜଗନ୍ନାଥପ୍ରସାଦ ତହସିଲଦାର ମନୋଜ କୁମାର ତ୍ରିପାଠୀ କହିଛନ୍ତି, ଚିହ୍ନଟ ପରେ ଚାଳିଶି ଏକର ଜମିରୁ ୨୦ ଏକର ଜମି ରାଜସ୍ବ ବିଭାଗର ଓ ଆଉ ୨୦ ଏକର ଜମି ବେସରକାରୀ ବୋଲି ଜଣାପଡ଼ିଛି। ତେବେ ଆମ ଜମି ଉପରେ ଥିବା ଅଳ୍ପ କିଛି ଗଛ କଟା ଯାଇଥିଲା। ଆର୍‌ଆଇ ତଦନ୍ତ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ସୂଚନା ଥାଉକି, କାଜୁ ଜଙ୍ଗଲକୁ ନେଇ ୨୦ ବର୍ଷରୁ ଅଧିକ ସମୟ ଧରି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ବିଶେଷ କରି କାଜୁ ଅମଳ ସମୟରେ ଏହା ଉଗ୍ର ରୂପ ନେବା ସହ କଥା ସଂଘର୍ଷ ପର୍ଯ୍ୟନ୍ତ ଯାଇଥାଏ। ଏଭଳିକ ଏକାଧିକ ମାମଲାରେ ଉଭୟ ପକ୍ଷ ଛନ୍ଦି ହୋଇ ରହିଥାଏ। ପୁଲିସ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପକ୍ଷରୁ ବହୁ ଉଦ୍ୟମ ସତ୍ତ୍ବେ ଏହି ବିବାଦର ସମାଧାନ ହୋଇପାରୁନି। କିଛି ଅଣଆଦିବାସୀ ତାଙ୍କ ନାମରେ ପଟ୍ଟା ରହିଥିବା ଦେଖାଇ ଆସୁଥିବା ବେଳେ ଆଦିବାସୀ ମାନେ ଏହାକୁ ଛାଡ଼ୁନାହାନ୍ତି।

ସମ୍ବନ୍ଧିତ ଖବର