ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଏକ ସ୍କୁଲ ଫାଟକରେ ଆଜି ରାତ୍ରିରେ ମାଓବାଦୀମାନେ ଧମକପୂର୍ଣ୍ଣ ମାଓ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ପୋଷ୍ଟର ମାଓବାଦୀ ଲଗାଇଛନ୍ତି ନା ଅନ୍ୟ କେହି ତାହା ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

Advertisment

ସୂଚନା ଅନୁଯାୟୀ, ଯଶିପୁର ଥାନା ଅର୍ନ୍ତଗତ ନିଉନ୍ତି ଗ୍ରା.ପର ଝାଡବେଡା ଆଦିବାସୀ ଉଚ୍ଚ ବିଦ୍ୟାଳୟ ଫାଟକରେ ଆଜି ସକାଳୁ ଗ୍ରାମବାସୀମାନେ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ଯଶିପୁର ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ତାଙ୍କ ଟିମ ସହିତ ପହଞ୍ଚି ମାଓ ପୋଷ୍ଟରକୁ ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛନ୍ତି। ଉକ୍ତ ପୋଷ୍ଟରରେ ନିଉନ୍ତି ପଞ୍ଚାୟତର ସମସ୍ତ ମୌଳିକ ଅସୁବିଧା ଦୂର କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ନହେଲେ ସେହିକାମ ମାଓବାଦୀମାନେ କରିବେ ବୋଲି ଧମକ ଦେଇଛନ୍ତି। ଅନ୍ୟ ଏକ ପୋଷ୍ଟରରେ ଲେଖା ଅଛି ଯେ ସରପଞ୍ଚ ଠିକାଦାରୀ କାମ ଛାଡି ଜନସେବାରେ ଲାଗି ପଡନ୍ତୁ। ସେଥିପାଇଁ ଏକ ମାସ ସମୟ ଦେଇଛନ୍ତି। ଏହା ବ୍ୟତୀତ ଯେଉଁମାନେ ନିଜ ଧର୍ମ ଛାଡି ଖ୍ରୀଷ୍ଟିୟାନ ଧର୍ମ କରୁଛନ୍ତି, ସେମାନଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପ ରୋକିବା ପାଇଁ ଜିଲ୍ଲାର ଗୋରୁମହିଷାଣୀ ଓ ଝାରପୋଖରିଆ ଠାରେ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଥିଲା। ସମଗ୍ର ଉପଖଣ୍ଡରେ ନକ୍ସଲ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଜବାନ ମାନେ କାର୍ଯ୍ୟ କରୁଥିଲେ। ତେବେ ନଭେମ୍ବର ୨୦୧୫ ମସିହାରେ ନକ୍ସଲ କାର୍ଯ୍ୟକଳାପ ନଥିବାରୁ କେନ୍ଦ୍ର ସରକାର ମୟୂରଭଞ୍ଜ ଜିଲ୍ଲାକୁ ମାଓ ମୁକ୍ତ ଜିଲ୍ଲା ଘୋଷଣା କରି ସିଆରପିଏଫ୍ ଯବାନଙ୍କୁ ପ୍ରତ୍ୟାହାର କରିଥିଲେ। ପୂର୍ବରୁ ୨୦୦୭ ମସିହା ମେ ମାସ ୮ ତାରିଖରେ ନକ୍ସଲ ମାନେ ବାମନଘାଟୀ ଉପଖଣ୍ଡ ଗୋରୁମହିଷାଣୀ ଥାନା ଅର୍ନ୍ତଗତ ସରଗୋଡା ବନଖଣ୍ଡ କାର୍ଯ୍ୟାଳୟକୁ ପୋଡି ଦେବା ସହିତ ବନପାଳ ରବୀନ୍ଦ୍ର ପାତ୍ରଙ୍କୁ ଗୁଳି କରି ହତ୍ୟା ପରେ ସାରଣ୍ଡା ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ନକ୍ସଲ ମାନେ ଜାଲ ବିଛାଇଥିଲେ ଯେ ବନପାଳଙ୍କ ହତ୍ୟାର ତଦନ୍ତ କରିବାକୁ ପୁଲିସ ଆସିବା ସମୟରେ ପୁଲିସ ଭ୍ୟାନକୁ ଲ୍ୟାଣ୍ଡମାଇନ ସାହାଯ୍ୟରେ ବିସ୍ଫୋରଣ କରି ଉଡାଇ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିବେ। ତେବେ ୧୦ମେ ରେ ଗୋରୁମହିଷାଣୀ ପୁଲିସ ଓ ସିଆରପିଏଫ୍ ଯବାନ ମିଳିତ ଭାବେ କୋମ୍ବିଂ ଅପରେସନ ପାଇଁ ଯାଉଥିବା ସମୟରେ ନକ୍ସଲ ମାନେ ଚଢେଇପାହାଡି ନିକଟସ୍ଥ ଦଳେଇଡିହି ଠାରେ ଏକ ଭ୍ୟାନକୁ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ କରି ଉଡାଇ ଦେଇଥିଲେ। ସେଥିରେ ଜଣେ ଗୁରୁତର ଆହତ ହୋଇଥିଲେ।

publive-image Sambad

ତେବେ ଉକ୍ତ ଘଟଣା ପୂର୍ବରୁ ପୁଲିସ ବଡଜାରି ଓ ବଡମୌଦା ଗ୍ରାମରେ ଚଢଉ କରି ୧୧ ଜଣ ନକ୍ସଲକୁ ଗିରଫ କରି ତାଙ୍କ ନିକଟରୁ ୧୨ଟି ବନ୍ଧୁକ, ଜୀବନ୍ତ ଗୁଳି, ବାରୁଦ, ବିଭିନ୍ନ ପ୍ରଚାର ପତ୍ର ଏବଂ ଇସ୍ତାହାର ଜବତ କରାଯାଇଥିଲା। ସେହିପରି ୨୦୦୭ ମସିହା ମାର୍ଚ୍ଚ ମାସରେ ପଡୋଶୀ ଝାଡଖଣ୍ଡ ରାଜ୍ୟର ଜେଏମଏମ୍ ସାଂସଦ ସୁନିଲ୍ ମାହାତୋ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ  ମୁଖ୍ୟଅତିଥି ଭାବେ ଯୋଗଦେବାକୁ ଆସିଥିବା ବେଳେ ସଭା ମଞ୍ଚରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ଛଡା ୨୦୦୭ ମସିହାରେ ସୁଦାମ ମାରାଣ୍ଡି ଜେଏମଏମର ସାଂସଦ ଥିବା ସମୟରେ ତାଙ୍କୁ ଗୁଳିକରି ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା। ସେଥିରେ ୨ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ପରବର୍ତ୍ତୀ ସମୟରେ ନଭେମ୍ବର ୨୦୧୫ ମସିହାରେ ନକ୍ସଲ କାର୍ଯ୍ୟକଳାପ ନଥିବାରୁ କେନ୍ଦ୍ର ସରକାର ମୟୂରଭଞ୍ଜ ଜିଲ୍ଲାକୁ ମାଓ ମୁକ୍ତ ଜିଲ୍ଲା ଘୋଷଣା କରି ସିଆରପିଏଫ୍ ଜବାନଙ୍କୁ ପ୍ରତ୍ୟାହାର କରିଥିଲେ। ତାପରଠାରୁ ଜିଲ୍ଲାରେ ମାଓ ବାଦୀଙ୍କ କୌଣସି ଚିହ୍ନବର୍ଣ୍ଣ ନଥିବା ବେଳେ ଆଜି ରାତିରେ କେମିତି ଝାଡବେଡା ହାଇସ୍କୁଲରେ ଧମକ ପୂର୍ଣ୍ଣ ମାଓ ପୋଷ୍ଟର ମାରିଲେ ସେ ନେଇ ସନ୍ଦେହ ସୃଷ୍ଟି କରୁଛି। ଏନେଇ ଯଶିପୁର ଥାନା ଅଧିକାରୀ ପଞ୍ଚାନନ ମହାନ୍ତିଙ୍କ ସହିତ ଯୋଗାଯୋଗ କରିବାରୁ ଉକ୍ତ ମାଓ ପୋଷ୍ଟରକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛନ୍ତି ବୋଲି ମତ ରଖିଥିଲେ।