କୋରାପୁଟ: ଡମ୍ପିୟାର୍ଡ ସମସ୍ୟା ନେଇ ଅଭିଯୋଗ କରି କରି ଥକିଲୁଣି। ନା ଆମ କଥା ପୌରପାଳିକା ଶୁଣୂଛି ନା ଜିଲ୍ଲାପାଳ ଶୁଣୁଛନ୍ତି। ତେଣୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିଛୁ। ଯଦି ମାସେ ମଧ୍ୟରେ ସମାଧାନ ନହୁଏ ତେବେ ରାଜରାସ୍ତାକୁ ଓହ୍ଳାଇବୁ। ଆଜି ସ୍ତାନୀୟ ପ୍ରେସ କ୍ଲବ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଏପରି ଚେତାବନୀ ଦେଇଛନ୍ତି ଆକାଶଗୁଡା ଓ ସାନ ଚିନ୍ଦିରି ବାସିନ୍ଦା। କୋରାପୁଟ ସହର ଠାରୁ ମାତ୍ର ୩କିଲୋମିଟର ଦୂରରେ ରହିଛି ପୌର ପରିଷଦର ୧୫ ନମ୍ବର ଓାର୍ଡ ହେଉଛି ଆକାଶଗୁଡା। ଆକାଶଗୁଡାକୁ ଯିବା ପାଇଁ ରାସ୍ତା କଡରେ ପୌରପରିଷଦର ଡମ୍ପିଂୟାଡ ରହିଥିବାରୁ ଗ୍ରାମବାସୀଙ୍କ ପାଇଁ ବିପଦ ସାଜିଛି। ଡମ୍ପିଂୟାଡର ଆଗରେ ବାଉଣ୍ଡରି ହୋଇଛି ସତ ପଛ ପଟେ ବାଉଣ୍ଡରି ନଥିବାରୁ ଶସ୍ୟ କ୍ଷେତ୍ରରେ ଅଳିଆ ଆବର୍ଜନା ଯାଇ ମିଶୁଛି। ଫାଟକ ନଥିବାରୁ ଅଳିଆ ଯାଗାରେ ବନ୍ୟଯନ୍ତୁ ଆସି ଖାଦ୍ୟ ଖୋଜୁଥିବା ବେଳେ ସେ ରାସ୍ତା ଦେଇ ଯାଉଥିବା ପଥଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆସୁଛି। ପୂର୍ବରୁ ସେହି ଅଞ୍ଚଳର ଅନେକ ବ୍ୟକ୍ତି ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଆହାତ ହୋଇଛନ୍ତି।

Advertisment

ଅପରପକ୍ଷେ ଆବର୍ଜନାର ବିଷାକ୍ତ ଖାଦ୍ୟ ଖାଇ ଗାଈ ଓ କୁକୁର ଟଳି ପଡୁଥିବା ଗ୍ରାମବାସୀ ମାନେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ଡମ୍ପିୟାଡ ବନ୍ଦ ପାଇଁ ଅଞ୍ଚଳବାସୀ ବହୁବାର ଜିଲ୍ଲା ପ୍ରଶାସନର ଓ ପୌର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଲକ୍ଷ୍ମଣ ହରିଜନ କହିଛନ୍ତି। ବର୍ତ୍ତମାନ ଅନେକ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସଂନ୍ଧ୍ୟା ସମୟରେ ସେହି ବାଟ ଦେଇ ଗଲେ ଭାଲୁ ଗୋଡାଉଥିବା ଆକାଶଗୁଡାର ସୁରେଶ ଖୋସ୍ଲା କହିଛନ୍ତି। ୧ ବର୍ଷ ଧରି ପୌର ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ,ବିଧାୟକ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କେହି କିଛି ଶୁଣୁ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଜିବ କୁମାର ଖରା, ସୁରେଶ ଖୋସ୍ଲା, ପ୍ରବୀର ଟାକ୍ରୀ ଓ ମୋହନ ମୁଦୁଲିଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।