ଅସୁରକ୍ଷିତ ଗୋ ଚାଲାଣ,ସୁରକ୍ଷାକାରୀଙ୍କୁ ମାଫିଆଙ୍କ ଧମକ

ଭଦ୍ରକ: କାହା ସାହସରେ ଭଦ୍ରକରେ ମାତିଛନ୍ତି ଗୋରୁ ମାଫିଆ ଓ ସେମାନଙ୍କ ହାତରେ ରହିଛି ବନ୍ଧୁକ। ଗୋସୁରକ୍ଷାକାରୀଙ୍କୁ ବନ୍ଧୁକ ମୁନରେ ଊଡାଇ ଦେବାକୁ ଦିଆଯାଉଛି ଧମକ। ଭଦ୍ରକରେ ଗୋରୁ ମାଫିଆଙ୍କ ଦୌରାତ୍ମ ଅସହ୍ୟ ହେଲାଣି। ପୁଲିସ ଏବେଠାରୁ ନହେଜିଲେ ଆଗକୁ ଏହି ପ୍ରସଙ୍ଗକୁ ନେଇ ଭଦ୍ରକରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଯିବାର ସୂଚନା ମିଳିଲାଣି। ଭଦ୍ରକ ଜିଲ୍ଲାର କିଛି ଥାନାରେ ପୁଲିସ ବାବୁମାନେ ଗୋ ଚାଲାଣକାରୀଙ୍କୁ ସୁରକ୍ଷା ଦେଇ ଆସୁଥିବା ନେଇ ଅଭିଯୋଗ ଆସୁଛି। ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ଥାନା ଅଞ୍ଚଳରୁ ପ୍ରତିଦିନ ବେଆଇନ୍ ଗୋ ଚାଲାଣ କରାଯାଉଥିବା ବେଳେ ପୁଲିସର ଉଚ୍ଚ କର୍ତୃପକ୍ଷ କାହିଁକି ସଂପୃକ୍ତ ଥାନାର ବାବୁଙ୍କ ଉପରେ ନଜର ପକାଉ ନାହାନ୍ତି। ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ପ୍ରକାଶ ଥାଉକି, ଗତକାଲି ବିଳମ୍ବିତ ରାତିରେ ଭଦ୍ରକର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ କିଛି ଗୋରୁ ମାଫିଆ ଅତି ଅସୁରକ୍ଷିତ ଅବସ୍ଥାରେ ପିକ୍ ଅପ୍ ଭ୍ୟାନ ଭିତରେ ଭର୍ତ୍ତି କରି ବାହାରକୁ ଗୋଚାଲାଣ କରୁଥିଲେ। ଏହି ବେଆଇନ୍ ଗୋଚାଲାଣ ସଂପର୍କରେ ସାଧାରଣ ଲୋକ ଖବର ପାଇ ସେମାନଙ୍କୁ ପିଛା କରିଥିଲେ। ଗୋ ସୁରକ୍ଷାକାରୀମାନେ ଅସୁରକ୍ଷିତ ଗୋଚାଲାଣକୁ ରୋକିବାକୁ ଗଲାବେଳେ ସେମାନଙ୍କୁ ମାଫିଆ ଗୋଚାଲାଣକାରୀମାନେ ବନ୍ଧୁକ ମୁନରେ ଉଡାଇ ଦେବୁ ବୋଲି ଧମକ ଦେଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗକୁ ଅତି ଅମାନୁଷିକ ଭାବେ ଗୋଚାଲାଣ କରାଯାଉଥିବା ବେଳେ ଚରମ୍ପା ଅଞ୍ଚଳରେ ସ୍ଥାନୀୟ ଲୋକମାନେ ଗାଡିକୁ ଜବତ କରି ଟାଉନ ପୁଲିସର ଜିମା ଦେଇଥିଲେ।

ଏହି ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନକୁ ସୁରକ୍ଷା ଦେଇ ନେଉଥିବା ମାଫିଆମାନେ ଓଲଟି ଗୁଳି ମାରି ଲୋକଙ୍କୁ ଉଡାଇ ଦେବେ ବୋଲି ଧମକ ଦେବା ଘଟଣା ଭଦ୍ରକରେ ଆତଙ୍କ ଖେଳାଇ ଦେଇଛି। ଭଦ୍ରକରେ ଗୋାରୁ ମାଫିଆଙ୍କ ଦୌରାତ୍ମ୍ ବୃଦ୍ଧି ପାଉଥିବା ବେଳେ ଭଦ୍ରକ ଏସପି ଏଦିଗରେ ଦୃଢ ପଦକ୍ଷେପ ନନେଲେ ଆଗାମୀ ଦିନରେ ଭଦ୍ରକରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର