ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ତିନି ଗିରଫ

ବାରିପଦା: ସ୍ବାଧୀନତା ଦିବସ ପୂର୍ବ ରାତିରେ ବାରିପଦାରେ ଘଟିଯାଇଛି ଅଭାବନୀୟ ଘଟଣା। ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ରଘୁନାଥପୁରରେ ଥିବା ସୁଧାର ନିଶା ନିବାରଣ କେନ୍ଦ୍ରରେ ପ୍ରାୟ ୪-୬ ମାସ ହେବ ରହି ଚିକିତ୍ସିତ ହେଉଥିବା ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଯୁବକ ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ କଳିଙ୍ଗା ଅଞ୍ଚଳର ସ୍ବର୍ଗତଃ ଗୋଲଖ ଚରଣ ଦାସଙ୍କ ପୁଅ ଦିପକ କୁମାର ଦାସ। ମୃତକଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ବାରିପଦା ଟାଉନ୍‌ ଥାନା ପୁଲିସ୍‌ କେସ୍‌ ନଂ-୭୩୬ ମୂଳେ ଦଫା ୩୦୨ ଏବଂ ୩୪ ଧାରାରେ ଏକ ହତ୍ୟା ମାମଲା ରୁଜୁ କରି ସୁଧାର ନିଶା ନିବାରଣ କେନ୍ଦ୍ରର ତତ୍ତ୍ବାବଧାରକଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଂସ୍ଥାର ମାଲିକ ରାସଗୋବିନ୍ଦପୁର ଅଞ୍ଚଳର ଦେବବ୍ରତ ଘୋଷ ଓରଫ୍‌ ସୋମ୍‌(୨୬), ବାରିପଦା ୱାର୍ଡ ନଂ-୮ ମାଳିସାହି ଅଞ୍ଚଳର ତୁଷାର କୁମାର ଦାସ(୩୬) ଏବଂ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳର ବିଜେନ୍ଦ୍ର କୁମାର ମୁଖୀ ଓରଫ୍‌ ବିଜୁ (୨୫)।

ଉଲ୍ଲେଖଯୋଗ୍ୟ ଯେ, ଦେବବ୍ରତଙ୍କ ତତ୍ତ୍ବାବଧାନରେ ଚାଲୁଥିବା ସୁଧାର ନିଶା ନିବାରଣ କେନ୍ଦ୍ରକୁ ମୃତକ ଜଣଙ୍କ ପ୍ରାୟ ୪-୬ ମାସ ତଳେ ଚିକିତ୍ସା ନିମନ୍ତେ ଆସିଥିଲେ। ମୃତକ ଯୁବକ ଜଣଙ୍କ ଅତ୍ୟଧିକ ମଦ୍ୟପାନ ଏବଂ ନିଶା ସେବନ ଭଳି କୁଅଭ୍ୟାସର ବଶବର୍ତ୍ତୀ ହୋଇଥିବାରୁ ଏଠାକୁ ଆସି ଚିକିତ୍ସାଧୀନ ଥିଲେ। ମାତ୍ର ପ୍ରାୟ ଏକ ମାସ ତଳେ ନିଜ ପିତାଙ୍କ ଦଶାହ କାର୍ଯ୍ୟରେ ଘରକୁ ଯାଇଥିଲେ। ନିଶା ନିବାରଣ କେନ୍ଦ୍ରରେ ତାଙ୍କୁ ଶାରୀରିକ ଯନ୍ତ୍ରଣା ଦିଆଯାଉଥିବା‌ ସେତେବେଳେ ଘରେ କହିଥିଲେ।

ହେଲେ ଚିକିତ୍ସା ପାଇଁ ପୁନଃର୍ବାର ଉକ୍ତ କେନ୍ଦ୍ରକୁ ଫେରିଥିଲେ ମୃତକ। ତେବେ ଶନିବାର ରାତିରେ ଯୁବକଙ୍କ ଭାଇଙ୍କୁ ନିଶା ନିବାରଣ କେନ୍ଦ୍ରରୁ ମୃତକ ଦିପକ ଅସୁସ୍ଥ ଥିବା ଫୋନ୍‌ ଯାଇଥିଲା। ଏହାର ମାତ୍ର ୧୫ ମିନିଟ୍‌ ପରେ ତାଙ୍କ ଭାଇ ମରିଯାଇଥିବା କୁହାଯାଇଥିଲା। ହସ୍‌ପିଟାଲରେ ମୃତକଙ୍କ ଶରୀର ଦେଖିବାରୁ ତାଙ୍କ ଦେହରେ ଅକଥନୀୟ ମାଡ଼ ଏବଂ ଯନ୍ତ୍ରଣାର ଚିହ୍ନ ଥିଲା। ତେଣୁ ଏନେଇ ମୃତ ଦିପକଙ୍କ ଭାଇ ସିପୁନ୍‌ ତାଙ୍କ ଭାଇକୁ ହତ୍ୟା କରାଯାଇଥିବା ବାରିପଦା ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଆଇଆଇସି ବୀରେନ୍ଦ୍ର ସେନାପତି ଏକ ହତ୍ୟା ମାମଲା ରୁଜୁ କରିବା ସହିତ ନିଶା ନିବାରଣ କେନ୍ଦ୍ରର ମାଲିକ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି। ମୃତ ଯୁବକଙ୍କ ଶରୀରରେ ମାଡ଼ର ଗଭୀର କ୍ଷତ ଚିହ୍ନ ଥିବା ଦେଖାଯାଇଛି। ତେଣୁ କେନ୍ଦ୍ରରେ ତାଙ୍କୁ ମାଡ଼ ଦିଆଯାଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର