ବନ୍ଧୁକ ଦେଖାଇ ଧମକ, ୩ ଯୁବକ ଗିରଫ: ବନ୍ଧୁକ ଓ ବାଇକ୍ ଜବତ

ରସୁଲପୁର: ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୋକଡ଼ିଆ ଗ୍ରାମର ମହେନ୍ଦ୍ର ମଲ୍ଲିକ, ଜ୍ଞାନରଞ୍ଜନ ମଲ୍ଲିକ ଓ ବିକାଶ ମଲ୍ଲିକ। ସେମାନଙ୍କ ନିକଟରୁ ଏକ ବନ୍ଧୁକ ଓ ବାଇକ୍ ଜବତ ହୋଇଛି। ଆଜି ଏହି ୩ ଜଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ଶ୍ରୀବନ୍ତପୁର ପଞ୍ଚାୟତ ବରମପୁର ଗ୍ରାମର ଦୁଇ ଭାଇଙ୍କୁ ଜୋକଡ଼ିଆର ଏହି ୩ ଯୁବକ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଆକ୍ରମଣ କରିଥିଲେ। ଗ୍ରାମବାସୀ ମିଳିତ ଭାବରେ ପ୍ରତିରୋଧ କରିବାରୁ ସଂପୃକ୍ତ ଯୁବକମାନେ ଘଟଣାସ୍ଥଳରୁ ଚାଲି ଯାଇଥିଲେ।

ବରମ୍‌ପୁର ଗ୍ରାମର ନନ୍ଦ କିଶୋର ରାଉତଙ୍କ ଦୁଇ ପୁଅ ସୁରେଶ ଓ ମାନଗୋବିନ୍ଦ ଗତକାଲି ଅପରାହ୍‌ଣରେ ନିଜ ଗାଁ ପାଖରେ ଛେଳି ଚରାଉଥିଲେ। ଏହି ସମୟରେ ଜୋକଡ଼ିଆ ଗ୍ରାମର ମହେନ୍ଦ୍ର ମଲ୍ଲିକ, ଜ୍ଞାନରଞ୍ଜନ ମଲ୍ଲିକ ଓ ବିକାଶ ମଲ୍ଲିକ ସେଠାକୁ ବାଇକ୍‌ରେ ଆସି ଅଟକିଥିଲେ। ବାଇକ ଷ୍ଟାର୍ଟରେ ରଖି ଜୋର୍‌ରେ ଶବ୍ଦ କରିବାରୁ ସୁରେଶ ଓ ମାନଗୋବିନ୍ଦ ଏହାକୁ ବିରୋଧ କରିଥିଲେ। ମହେନ୍ଦ୍ର ଏକ ବନ୍ଧୁକ ବାହାର କରି ସୁରେଶ ମୁଣ୍ତରେ ଲଗାଇ ମାରିଦେବାକୁ ଧମକାଇଥିଲା। ବନ୍ଧୁକରେ ସୁରେଶ ମୁଣ୍ତକୁ ମଧ୍ୟ ପିଟି ଦେଇଥିଲା। ସେଠାରେ ଥିବା କିଛି ଗ୍ରାମବାସୀ ପହଞ୍ଚି ପ୍ରତିରୋଧ କରିବାରୁ ଅଭିଯୁକ୍ତମାନେ ଖସି ଯାଇଥିଲେ। ଘଟଣା ସଂପର୍କରେ ସୁରେଶ କୁଆଖିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ନମ୍ବର ୨୧୪/୨୧ରେ ରୁଜୁ କରି ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏସଆଇ ଅନୀତା ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର