ଅଧିକ ଯୌତୁକ ଦାବିରେ ନିର୍ଯ୍ୟାତନା ଅଭିଯୋଗ: ମହିଳାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୁର ଗିରଫ

ବାରିପଦା: ଅଧିକ ଯୌତୁକ ଦାବି କରି ଜଣେ ବିବାହିତ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯିବା ସହ ଜୀବନରୁ ମାରିଦେବା ନିମନ୍ତେ ଉଦ୍ୟମ ହୋଇଛି। ବାରିପଦା ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କ ନାମରେ ଆଇପିସିର ଏକାଧିକ ଧାରାରେ ଏକ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ବାରିପଦା ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଇ-୫୮ ସିପି କଲୋନି ଅଂଚଳର ଗୌରାଙ୍ଗ ଚରଣ ସାହୁ(୫୯) ଙ୍କ ପୁଅ ଦେବାଶିଷ ସାହୁ(୩୨) ବାଲେଶ୍ୱର ଜିଲା କରଞ୍ଜିଆ ସତ୍ୟନଗର ଅଂଚଳରୁ ସୁଚରିତା ସାହୁଙ୍କୁ ବୈଦିକ ରୀତିନୀତି ଅନୁସାରେ ୨୦୧୭ ଡିସେମ୍ବର ୩ ତାରିଖରେ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷରୁ ଯୌତୁକ ବାବଦରେ କୌଣସି ଦାବି କରାଯାଇ ନ ଥିବାରୁ କନ୍ୟା ପକ୍ଷରୁ ବେଡି ଉପରେ ନଗଦ ୭୦ ହଜାର ଟଙ୍କା ସହ ଅନ୍ୟାନ୍ୟ ଆସବାବପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ବାହାଘରର ପରବର୍ତ୍ତୀ ସମୟଠାରୁ ଅଧିକ ଯୌତୁକ ଦାବିରେ ସୁଚରିତାଙ୍କୁ ସ୍ୱାମୀ ଦେବାଶିଷ, ଶ୍ୱଶୁର ଗୌରାଙ୍ଗ ଓ ମମତାରାଣୀ ସାହୁ (୫୦)ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରିଦେବା ନିମନ୍ତେ ଉଦ୍ୟମ, ଚାରିତ୍ରିକ ଆକ୍ଷେପ କରି ଗାଳିଗୁଲଜ କରି ଆସୁଥିଲେ ।

କେବଳ ଏତିକି ନୁହେଁ, ଦେଢ଼ ମାସର ଗର୍ଭବତୀ ରହିଥିବା ସମୟରେ ସ୍ୱାମୀ ପେଟରେ ଗୋଇଁଠା ମାରି ଗର୍ଭ ନଷ୍ଟ କରାଇ ଦେଇଥିଲେ। ଏହି ସମସ୍ତ ଘଟଣାକୁ ନେଇ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଇବା ପରେ ପ୍ରାୟ ୪ ଥର ଉଭୟ ପକ୍ଷଙ୍କୁ ବସାଇ ଆପୋଷ ବୁଝାମଣା କରାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ପରବର୍ତ୍ତୀ ସମୟରେ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଲା। ସହିବାର ସମସ୍ତ ସୀମା ଅତିକ୍ରମ କରିବା ପରେ ସୁଚରିତା ବାଧ୍ୟ ହୋଇ ନ୍ୟାୟ ପାଇବା ନିମନ୍ତେ ଥାନାରେ ଆଶ୍ରୟ ନେଇଥିବାର ଜଣାପଡିଛି।

ସମ୍ବନ୍ଧିତ ଖବର