ଲେଡି ହେମିଲଟନ୍ ଉଚ୍ଚ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରୀ, ୩ ଅଭିଯୁକ୍ତ କୋର୍ଟ ଚାଲାଣ

ବାରିପଦା: ସ୍ଥାନୀୟ ପାଲବଣିସ୍ଥିତ ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟରୁ ତାଲା ଭାଙ୍ଗି କମ୍ପ୍ୟୁଟର, ଫ୍ୟାନ୍‌, ପ୍ରିଣ୍ଟର୍‌, ପ୍ରୋଜେକ୍ଟର ଆଦି ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରୀ କରିଥିବା ଅଭିଯୋଗରେ ବାରିପଦା ଟାଉନ ଥାନା ପୁଲିସ ଆଜି ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଚୋରୀ ହୋଇଥିବା କେତେକ ସାମଗ୍ରୀକୁ ଜବତ କରିଥିବାର ଜଣାପଡ଼ିଛି ।

ପ୍ରାପ୍ତ ସୂଚନା ଅନୁସାରେ ଲେଡି ହେମିଲଟନ୍ ଉଚ୍ଚ ବିଦ୍ୟାଳୟରେ କୋଭିଡ୍‌ ସ୍ୱାବ୍‌ ସଂଗ୍ରହ କେନ୍ଦ୍ର ହୋଇଥିବାରୁ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଷ୍ଟାଫ କମନ ରୁମ୍‌କୁ ଅଫିସ ଭାବେ ବ୍ୟବହାର କରୁଥିଲେ । ଏହି ସମୟରେ ଗତ ଅଗଷ୍ଟ ୧୦ ସୋମବାର ସନ୍ଧ୍ୟା ପ୍ରାୟ ୬ରୁ ୭ ମଧ୍ୟରେ ବାରିପଦା ସହରର ୱାର୍ଡ ନଂ-୨୫ ପାଲବଣି ଅଞ୍ଚଳର ସୁମନ ସିଂ(୨୧), ବେତନଟୀ ଥାନା ବାହାନଡ଼ା ଗ୍ରାମର ଟୁନା ଓରଫ ଟିକୁ ଦୁବେ(୨୪) ଓ କରତବସା ଅଞ୍ଚଳର ଶେଖର ରାୟଙ୍କ ପୁଅ ବିକାଶ ରାୟ(୩୫) ବିଦ୍ୟାଳୟର ସାଇନ୍ସ୍‌ ଲ୍ୟାବ ଓ ଶ୍ରେଣୀ ଗୃହର ତାଲା ଭାଙ୍ଗି ଭିତରେ ଥିବା ପ୍ରାୟ ୩ ଲକ୍ଷ ଟଙ୍କରୁ ଅଧିକ ମୂଲ୍ୟର ୧୦ରୁ ଅଧିକ କମ୍ପ୍ୟୁଟର,ମନିଟର, ପ୍ରୋଜେକ୍ଟର, ପ୍ରିଌକ୍ଷଗ୍ଧ;ର, ସିପିୟୁ, ସିଲିଂ ଫ୍ୟାନ ଆଦି ବିଭିନ୍ନ ସାମଗ୍ରୀକୁ ଚୋରୀ କରି ନେଇ ଯାଇଥିଲେ ।

ଅଗଷ୍ଟ ୧୨ରେ ବିଦ୍ୟାଳୟର କର୍ମଚାରୀ ଓ ଶିକ୍ଷକମାନେ ଏହି ଚୋରୀ ବିଷୟରେ ଜାଣିବା ପରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ପଲେଇ ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଥାନାରେ କେଶ ନମ୍ବର ୫୩୩/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରି ପ୍ରଥମେ ଅଭିଯୁକ୍ତ ସୁମନ ସିଂକୁ ଥାନାକୁ ଆଣି ପଚରାଉଚରା କରିବା ପରେ ଅନ୍ୟ ଦୁଇ ଅଭିଯୁକ୍ତମାନଙ୍କ ନାମ ପ୍ରକାଶ କରିବା ସହ ଚୋରୀ କରିଥିବାର ସ୍ୱିକାର କରିଥିଲା । ଫଳରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗତ କାଲି ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବାର ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର