ସମ୍ବଲପୁର: ଅନ୍‌ଲାଇନ୍‌ ‘ସଟ୍ଟା’ କାରବାର ଉପରେ ସମ୍ବଲପୁର ପୁଲିସ ଚଢ଼ାଉ କରି ବୁଧବାର ରାତି ୩ ଜଣଙ୍କୁ ଗିରଫ କରିବା ସହିତ ୩ଟି କମ୍ପ୍ୟୁଟର ସେଟ୍‌ ଜବତ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ସହରର ବରେଇପାଲି, ଅଇଁଠାପାଲି ଓ କ୍ଷେତରାଜପୁର ଅଂଚଳରେ ଅଚାନକ ଚଢ଼ାଉ କରିଥିଲା।

Advertisment

ଇଣ୍ଟରନେଟ କାଫେ ବାହାନାରେ ଅନ୍‌ଲାଇନ ‘ସଟ୍ଟା’ କାରବାର ରାଜ୍ୟ ବାହାରୁ ପରିଚାଳିତ ହେଉଥିବା ନେଇ ପୁଲସ ପୂର୍ବରୁ ସୂଚନା ପାଇଥିଲା କିନ୍ତୁ ସୁଯୋଗର ଅପେକ୍ଷାରେ ଥିଲା। ଚଢ଼ାଉ ସମୟରେ ଧନୁପାଲି ପୁଲିସ ସଂଜୟ ମହାନନ୍ଦ (୨୬)କୁ ବରେଇପାଲି ଛକରୁ ଗିରଫ କରିବା ସହ ତା’ ଠାରୁ ୩୭୨୦ ଟଙ୍କା ଓ କମ୍ପୁଟର ସାମଗ୍ରୀ ଜବତ କରିଛି।

ସେହିପରି ଅଇଁଠାପାଲି ପୁଲିସ କରମଟୁଲିର ମୋହନ ଓରାମ (୩୨)କୁ ଅଇଁଠା ପାଲି ଛକରୁ ଗିରଫ କରିବା ସହିତ ୨୦୨୦ ଟଙ୍କା ଜବତ କରିଥିବା ବେଳେ ଅମରିପଡ଼ାର ହନୀଫ ଖାନ (୨୭) କ୍ଷେତରାଜପୁର ଛକରୁ ଗିରଫ ହୋଇଛି। ପୁଲିସ ହନୀଫ ଠାରୁ ୨୪୦୦ ଟଙ୍କା ଜବତ କରିଛି।

ପୁଲିସ କହିଛି ସାଧାରଣ ସଟ୍ଟା ଓ ସଂଜୟ, ମୋହନ ଏବଂ ହନୀଫ ସଂପୃକ୍ତ ଥିବା ସଟ୍ଟା ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣ ସଟ୍ଟାରେ ଦିନକୁ ୨ଟି ଖେଳାଯାଇ ପାରୁଥିବା ବେଳେ, ଏମାନେ ସଂପୃକ୍ତ ଥିବା ସଟ୍ଟାରେ ଜଣେ ବ୍ୟକ୍ତି ଦିନକୁ ଅନେକ ଥର ଖେଳିପାରିବ।