ଏଲ୍‌ପିଜି ସିଲିଣ୍ଡର ଚୋରା କାରବାର: ବଟଲିଂ ପ୍ଲାଣ୍ଟରୁ ଲୋଡ଼ ହୋଇ ଆସିଲା ବେଳେ ବାଟରେ ପାର୍, ୩ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଚୋରା ସିଲିଣ୍ଡର କାରବାର କିଛି ନୂଆଁ କଥା ନୁହେଁ। ଦୀର୍ଘ ବର୍ଷରୁ ଏହି ସିଲିଣ୍ଡର ଚୋରା କାରବାର ହୋଇ ଆସୁଛି। ତେବେ ବଟଲିଂ ପ୍ଲାଣ୍ଟରୁ ଟ୍ରକରେ ବୋଝେଇ ହୋଇ ଆସୁଥିବା ବେଳେ ତାକୁ ବାଟରେ ବିକ୍ରି କରି ତା’ ସ୍ଥାନରେ ପାଣି ଭର୍ତ୍ତି ସିଲିଣ୍ଡର ରଖିଦେବା ଭଳି ଏକ ଘଟଣାକୁ ପୁଲିସ ଉନ୍ମୋଚିତ କରିଥିବା ଜଣାଯାଇଛି। ଏହି କାରବାରର କିଙ୍ଗ୍‌ପିନ୍‌ କୁହାଯାଉଥିବା ମାନସ କୁମାର ପାତ୍ର ସହିତ ଟ୍ରକ ଡ୍ରାଇଭର ଭୁବନେଶ୍ବର ୟାଦବ ଓ ତାଙ୍କ ସହଯୋଗୀ ଅଭିନାଶ ଯାଦବକୁ ପୁଲିସ ଗିରଫ କରିଛି।

ଏସ୍‌ପି ବିକାଶ ଚନ୍ଦ୍ର ଦାଶ ଦେଇଥିବା ସୂଚନା ଅନୁଯାୟୀ ଗତ ୧୫ ତାରିଖ ଦିନ ଆଇଓସିଏଲ୍ ଟ୍ରନ୍ସପୋର୍ଟର ଦେବେନ୍ଦ୍ର ତିୱାରୀଙ୍କ ଟ୍ରକ (ଓଆର୍ ୦୧ ଭି ୨୭୨୭)ରେ ଓଏମ୍ପି ବଟଲିଂ ପ୍ଲାଣ୍ଟରୁ ୩୨୪ ଗୋଟି ଏଲ୍ପିଜି ସିଲିଣ୍ଡର ବୋଝେଇ କରି ଅତାବିରାକୁ ନେଇ ଯାଇଥିଲା। ତେବେ ଦୁଇ ଗୋଟି ସିଲିଣ୍ଡର ଭିତରେ ଗ୍ୟାସ୍ ବଦଳରେ ପାଣି ଭର୍ତ୍ତି ସିଲିଣ୍ଡର ବାହାରିଥିଲା । ଏହାକୁ ନେଇ ଝାରସୁଗୁଡ଼ା ଠାରେ ଶ୍ରୀ ତିୱାରୀ ଏକ ମାମଲା ରୁଜୁ କରି ତଦନ୍ତ ପାଇଁ ପୁଲିସକୁ ଅନୁରୋଧ କରିଥିଲେ। ପୁଲିସ ଏହାର ତଦନ୍ତ କରି ଜାଣିପାରିଥିଲା ଯେ, ସିଲିଣ୍ଡର ବୋଝେଇ କରିବା ପରେ ଟ୍ରକ ଡ୍ରାଇଭର ଆସି ବେହେରାମାଲ ଠାରେ ଗ୍ୟାସ କାରବାର କରୁଥିବା ମାନସ ପାତ୍ରକୁ ତାର ଜଣେ ସଂପର୍କୀୟ ଅଭିନାଶ ଯାଦବ ସହାୟତାରେ ଦୁଇଟି ସିଲିଣ୍ଡର ବିକ୍ରି କରି ତା ସ୍ଥାନରେ ପାଣି ଭର୍ତ୍ତି ଦୁଇଟି ସିଲିଣ୍ଡର ରଖି ଦେଇଥିଲା। ପୁଲିସ ମାନସ ପାତ୍ରକୁ ଗିରଫ କରି ତା ପାଖରୁ ୧୦ ଗୋଟି ସିଲିଣ୍ଡର ସହିତ ସିଲିଣ୍ଡର ଯୋଗାଣ କରୁଥିବା ଗୋଟିଏ ମାରୁତି ଭ୍ୟାନ୍ ନମ୍ବର ଓଆର୍ ୨୩ବି ୯୭୦୧କୁ ଜବତ କରିଛି। ଗିରଫ ହୋଇଥିବା ତିନିଜଣ ଏହି ଘଟଣା ନେଇ ସ୍ବୀକାର କରିବା ପରେ ପୁଲିସ ଭାରତୀୟ ଦଣ୍ଡବିଧି ଆଇନର ୪୦୭ , ୪୨୦ ଓ ୩୪ ଦଫା ରୁଜୁ କରି କୋର୍ଟ ଚାଲାଣ କରିଛି। ଏଥିରେ ସାମିଲ ଅନ୍ୟ ମାନଙ୍କୁ ପୁଲିସ ଖୋଜୁଥିବା ଜଣାଯାଇଛି। ଝାରସୁଗୁଡ଼ାରେ ଆଇଓସିଏଲ୍ ପକ୍ଷରୁ ଯୋଗାଣ ହେଉଥିବା ପେଟ୍ରୋଲ, ଡିଜେଲର ମଧ୍ୟ ବ୍ୟାପକ ଚୋରି ହେଉଥିବା ବେଳେ ପୁଲିସ ଆଖିରେ ଏହି ଚୋର ମାନେ ଧୂଳି ଦେବାରେ ସକ୍ଷମ ହୋଇ ଆସୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର