ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ପୁଲିସକୁ ମିଳିଛି ବଡ଼ ସଫଳତା । ଜଣେ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ଘଟଣାର ତଦନ୍ତ କରୁ କରୁ ପୁଲିସ ଏକ ବଡ଼ଧରଣର ବାଇକ ଚୋରି ରାକେଟର ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଯୁଯୁମୁରା ଥାନା ବେହେରେନବସା ଗ୍ରାମର ସାଲେଗ୍ରାମ ପ୍ରଧାନ(୩୫), ସଦର ଥାନା ଗମ୍ଭାରକଟା ଗ୍ରାମର ସାହେବ ମୁଣ୍ଡା ଓରଫ ରାଜା(୨୮) ଓ କତରବଗା ଥାନା କଦଳୀପିଟା ଗ୍ରାମର ମହାଦେବ ଖଡ଼ିଆ(୨୩) । ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ।
ସାମ୍ବାଦିକ ସମ୍ମିଳନୀରେ ରେଢ଼ାଖୋଲ ଏସ୍ଡିପିଓ ଜ୍ୟୋତିର୍ମୟୀ ପ୍ରଧାନ କହିଛନ୍ତି, ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୩ ହଜାର ୨ ଶହ ୩୦ ଟଙ୍କା, ୩ଟି ମୋବାଇଲ ଓ ୬ଟି ବାଇକ ଜବତ କରିଛି । ଗାଡି ଗୁଡ଼ିକ ହେଲା ଲାଲ ରଙ୍ଗର ବଜାଜ ବସ୍କର(ଓଆର ୧୫ ଜି ୭୩୯୩), ନୀଳ ରଙ୍ଗର ଆକ୍ଟିଭା(ଓଡ଼ି ୩୧ ଡି ୦୨୦୩), ପଞ୍ଜିକରଣ ନଥିବା ଏକ କଳା ରଙ୍ଗର ହିରୋ ଏଚଏଫ ଡିଲକ୍ସ, ନୀଳ ରଙ୍ଗର ୟାମାହା(ଓଡ଼ି ୧୫ ଏ ୩୨୮୬), ଲାଲ ରଙ୍ଗର ହିରୋ ସ୍ପେଣ୍ଡର(ଓଡ଼ି ୨୩ ଇ ୩୭୬୧), ଲାଲ ରଙ୍ଗର ହିରୋ ପେସନ ପ୍ରୋ(ଓଡ଼ି ୧୫ ଡି ୫୪୬୯), ଲୁଟର ଶିକାର ହୋଇଥିବା କର୍ମଚାରୀ ଜଗଦୀପ ସୁତାରଙ୍କ ଏକ ଏୟାର ବ୍ୟାଗ, ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଅନ୍ନପୂର୍ଣ୍ଣା ସଂସ୍ଥାର ଆଇଡି କାର୍ଡ, ବାଇକ(ଓଡ଼ି ୨୨ ଏମ୍ ୯୧୧୬)ର ଆରସି ସ୍ମାର୍ଟ କାର୍ଡ ଓ ଗୋଟିଏ ମେଟାଳିକ ଆଇରନ ଖେଳଣା ବନ୍ଧୁକ ଜବତ କରିଛି ।
/sambad/media/post_attachments/wp-content/uploads/2021/07/1187754a-29d5-4a9b-9108-7a83c568051e-1024x512.jpg)
ସାମ୍ବାଦିକ ସମ୍ମିଳନୀରେ ପୁଲିସ ଦେଇଥିବା ସୂଚନା ମୁତାବକ, ଯୁଯୁମୁରା ଥାନା ଭାଡ଼ିମରା ଜଙ୍ଗଲ ରାସ୍ତାରେ ଗତ ମେ’ ମାସ ୨ ତାରିଖ (ରବିବାର ଅପରାହ୍ନ ପ୍ରାୟ ୧ଟାରେ) ଜଣେ ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ ହୋଇଥିଲା । ଅନ୍ନପୂର୍ଣ୍ଣା ସଂସ୍ଥାର ଜଗଦୀପ ସୁତାର(୨୫) ଭାଡ଼ିମରା ଗାଁରୁ ସଂଗୃହୀତ ଟଙ୍କା ଧରି ବାଇକ( ଓଡ଼ି ୨୨ ଏମ ୯୧୧୬)ରେ ସମ୍ବଲପୁର ଫେରୁଥିବା ସମୟରେ ୨ ଜଣ ଦୁର୍ବୁତ୍ତ ବାଇକରେ ଆସି ତାଙ୍କୁ ଅଟକାଇ ଧକ୍କା ମାରିଥିଲେ । ପରେ ବାଡ଼ିରେ ମାଡ଼ ମାରି ଭୟଭୀତ କରିବା ସହ ସଂଗୃହୀତ ୬୩ ହଜାର ୮ ଶହ ୪୦ ଟଙ୍କା ଲୁଟି ପଳାଇଥିଲେ । ଭଦ୍ରକ ଜିଲ୍ଲା ଧାମନଗର ଥାନା ପିତେଇପୁରର ଗାଁର ଜଗଦୀପ ପରେ ଏନେଇ ଯୁଯୁମୁରା ଥାନାରେ ଏତଲା ଦେଲା ପରେ ପୁଲିସ ମାମଲା(କେଶ ନଂ ୫୯/୨୧) ରୁଜୁ କରି ଅନୁସନ୍ଧାନ କରୁଥିଲା । ତେବେ ବାଇକ ଚୋରି କରିବା ପରେ ଡକାୟତିରେ ସେହି ଗାଡ଼ି ଗୁଡ଼ିକ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଯୁଯୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ୱାଳ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/eb5f0de5-17dd-4c86-a0f8-c5f0614bf9e3.jpg)