ଠକେଇ ଅଭିଯୋଗରେ ଜଣେ ମହିଳା ସାମାଜିକ କର୍ମୀ ସମେତ ୩ ଗିରଫ

ନବରଙ୍ଗପୁର: ସରକାରୀ ଚାକିରି ପାଇବେ ଏଭଳି କିଛି ଆଶା ଓ ଭରସା ଦେଇ ସରଳ ଯୁବକ-ଯୁବତୀମାନଙ୍କୁ ନିଜ ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ମହିଳା ସାମାଜିକ କର୍ମୀ, ତାଙ୍କ ସ୍ୱାମୀଙ୍କ ସହ ତିନି ଜଣଙ୍କୁ ଉମରକୋଟ ପୁଲିସ ଗିରଫ କରିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ରଞ୍ଜନା ବର୍ମା, ସ୍ୱାମୀ ଆଶିଷ କୁମାର ପାତ୍ର (ଲିଟୁ) ଓ ଅନିଲ ବାନାର୍ଜୀ ମାନବିକ ଅଧିକାର କମିଟି ନାମରେ ଏକ ସଂସ୍ଥା ଜିଲ୍ଲା ସଦର ମହକୁମାରେ କାର୍ଯ୍ୟାଳୟ ଠାରେ ଖୋଲି ଜିଲ୍ଲା ବେକାରୀ ଯୁବକ-ଯୁବତୀମାନଙ୍କୁ ଚାକିରି ଦେବା ନାମରେ ଠକେଇ କରି ଆସୁଥିଲେ। ଅଭିନବ ଉପାୟରେ ଏହି ଗ୍ୟାଙ୍ଗ ଠକେଇ କରୁଥିଲା।

ପ୍ରଥମେ ଗ୍ରାମାଂଚଳରେ ‘ଇ’-ସୁବିଧାର ସଚେତନ ନାମରେ ବୈଠକ କରୁଥିଲେ। ଏହି ବୈଠକରେ ସ୍ଥାନୀୟ ଅଂଚଳର ନାମ କରା ବ୍ୟକ୍ତି, ସରକାରୀ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ପ୍ରଚାର କରୁଥିଲେ। ପରେ ବେକାର ଯୁବକ-ଯୁବତୀମାନଙ୍କୁ ଚାକିରି ଦେବା ନାମରେ ଠକେଇ ଆରମ୍ଭ କରୁଥିଲେ।

ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ। ଚାକିରି ପାଇବା ଆଶାରେ ବେକାରୀ ଯୁବକ-ଯୁବତୀମାନେ ଜମି-ବାଡ଼ି ସୁନା-ଗହଣା ବିକ୍ରି କରି ଟଙ୍କା ଦେଇ ଚାକିରି ନ ପାଇ ନିରାଶ ହେବା ପରେ ପୁଲିସର ଆଶ୍ରୟ ନେଇଥିଲେ। କେନ୍ଦୁଝର ଠାରୁ ଆରମ୍ଭ କରି ନବରଙ୍ଗପୁର ପର୍ଯ୍ୟନ୍ତ ଯୁବକ-ଯୁବତୀମାନେ ଏହି ଠକେଇର ଶିକାର ହୋଇଥିବାର ଅନୁମାନ କରାଯାଉଛି। ଆଜି ଏ ସଂକ୍ରାନ୍ତରେ ନବରଙ୍ଗପୁର ଏସପି ନୀତିନ କୁଶଲକର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର