ଥାନା ସମ୍ମୁଖ ଦୋକାନ ସଟର ତାଡ଼ି ଚୋରି, ୩ ଗିରଫ

ପୁରୀ: ବାସେଳି ସାହି ଥାନା ସମ୍ମୁଖରେ ଥିବା ଏକ ଦୋକାନ ସଟର ତାଡ଼ି ଚୋରି ଘଟଣାରେ ଆଜି ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଥାନାରେ ଲାଗିଥିବା କ୍ଲୋଜ୍‌ସର୍କିଟ୍‌ କ୍ୟାମେରାର ଫୁଟେଜ୍‌ରୁ ଏହି ଅଭିଯୁକ୍ତମାନଙ୍କୁ ପୁଲିସ ଚିହ୍ନଟ କରିଥିଲା। ପୁଲିସ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରି ଆଜି କୋର୍ଟଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳାଘାଟ ଅଞ୍ଚଳର ଅଶୋକ କୁମାର ସାହୁଙ୍କର ବାସେଳି ସାହି ଥାନା ସମ୍ମୁଖରେ ଏକ ତେଜରାତି ଦୋକାନ ରହିଛି। ଏହି ଦୋକାନର ସଟର ତାଡ଼ି ଭିତରେ ଥିବା ୫ ହଜାର ଟଙ୍କା ଓ ଅନ୍ୟାନ୍ୟ ଜିନିଷପତ୍ର ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ। ତେଣୁ ଏ ସମ୍ପର୍କରେ ଅଶୋକଙ୍କ ଅଭିଯୋଗକୁ ଭିତ୍ତି କରି ବାସେଳି ସାହି ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା। ଥାନାରେ ଥିବା କ୍ଲୋଜସର୍କିଟ୍‌ କ୍ୟାମେରାର ଫୁଟେଜ୍‌କୁ ଯାଞ୍ଚ କରିବାରେ ଏହି ଚୋରିରେ ମାର୍କଣ୍ଡେଶ୍ବର ସାହି ଜଗନ୍ନାଥ ବସ୍ତିର ରମେଶ ବେହେରା(୨୦), କାବୁଲି ବେହେରା(୨୬) ଓ ମଶାଣିଚଣ୍ଡୀ ଛକର ଚନ୍ଦନ ସୁନ୍ଦରାୟ(୨୩) ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ପୁଲିସ ରମେଶ ଘରେ ଚଢ଼ଉ କରି ସେଠାରୁ ଅଶୋକଙ୍କ ଦୋକାନରୁ ଚୋରି ହୋଇଥିବା ଜିନିଷପତ୍ର ଜବତ କରିଥିଲା। ରମେଶକୁ ପଚରାଉଚରା ବେଳେ ଚନ୍ଦନ ଓ କାବୁଲିଙ୍କ ସମ୍ପୃକ୍ତି ଜଣାପଡ଼ିବାରୁ ପୁଲିସ ସମସ୍ତ ୩ୁ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର