ସ୍ବଚ୍ଛତା ପାଇଁ ରାଉରକେଲା ମହାନଗର ନିଗମ ଦ୍ବାରା ୩ଟି ବସ୍ତି ପୁରସ୍କୃତ

ରାଉରକେଲା: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ପବିତ୍ର ଅବସରରେ ସ୍ବଚ୍ଛତା, ବାହ୍ୟ ମଳତ୍ୟାଗ ମୁକ୍ତ ଏବଂ ଅଳିଆ ମୁକ୍ତ ବସ୍ତି ଭାବେ ରାଉରକେଲା ମହାନଗର ନିଗମ ପକ୍ଷରୁ ୩ଟି ବସ୍ତିକୁ ପୁରସ୍କୃତ କରାଯାଇଛି । ରାଉରକେଲା ମହାନଗର ନିଗମର ସଭାଗୃହରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି କିଷାନତୋଳା ବିଜୁ ଆଦର୍ଶ କଲୋନୀ, ଖରିଆବାହାଲ ବିଜୁ ଆଦର୍ଶ କଲୋନୀ, ଭାଟା ବିଜୁ ଆଦର୍ଶ କଲୋନୀକୁ ପୁରସ୍କାର ପ୍ରଦାନ କରିଛନ୍ତି। ବିଶେଷକରି ସ୍ବଚ୍ଛତା, ବାହ୍ୟ ମଳତ୍ୟାଗ ମୁକ୍ତ ଓ ବସ୍ତି ବାସିନ୍ଦାଙ୍କ ବ୍ୟକ୍ତିଗତ ଶୌଚାଳୟର ସଂଖ୍ୟାକୁ ଦୃଷ୍ଟି ରଖି ଉପରୋକ୍ତ ୩ଟି ବସ୍ତିକୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ସହରକୁ ସ୍ବଚ୍ଛ, ସୁନ୍ଦର କରିବା ଦିଗରେ ସହରବାସୀ ମହାନଗର ନିଗମକୁ ଯେଉଁ ସହଯୋଗ ଦେଇଆସୁଛନ୍ତି ତାହା ଆଗକୁ ମଧ୍ୟ ଜାରି ରଖିବେ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି ।

ସୂଚନା ଯୋଗ୍ୟ, ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଉରକେଲା ମହାନଗରର ନିଗମର ସମସ୍ତ ବସ୍ତି ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ବସ୍ତି ଅଞ୍ଚଳର ଲୋକଙ୍କୁ ବାହାରେ ମଳତ୍ୟାଗ ନକରିବା, ଘରୁ ବାହାରୁଥିବା ଅଳିଆକୁ ଅଳିଆ ଗାଡ଼ିରେ ପକାଇବା ଏବଂ ବସ୍ତି ପରିସରକୁ ସଫା ସୁତରା ରଖିବା ନେଇ ସଚେତନ କରାଯାଇଥିଲା। ଏହା ସହିତ ମହାନଗର ନିଗମ ପକ୍ଷରୁ ବସ୍ତି ଅଞ୍ଚଳର ପିଲାଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ, ଗୀତ ଓ ଅଭିନୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେପ୍ଟେମ୍ବର ୩୦ ତାରିଖରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ରବିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର, ଉପ ଆୟୁକ୍ତ ସୁଧାଂଶୁ ଭୋଇ, ଡ. ଗୌରବମୟ ପ୍ରଧାନ, ରୋନିତ କୁମାର, ସହକାରୀ ଆୟୁକ୍ତ ସୁକାନ୍ତ ବେଉରା ଏବଂ ମହାନଗର ନିଗମର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର