ଯାତ୍ରୀବାହୀ ବସ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ଗୁରୁତର ତିନି ଭାଇଙ୍କୁ ହସ୍‌ପିଟାଲରେ ଭର୍ତ୍ତି

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅନ୍ତର୍ଗତ ଆଉଳିଗୁମ୍ମା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ସହ ବାଇକ ଚାଳକଙ୍କ ମଧ୍ୟରେ ମୁହାମୁହି ଧକ୍କା ହାଇଛି। ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ବାଇକରେ ବସିଥିବା ତିନି ଭାଇ ଲକିଗୁଡା ଗ୍ରାମର ପର୍ଶୁ ମୁଦୁଲି, ତିରୁ ମୁଦୁଲି ଓ ପରମା ମୁଦୁଲି। ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଆଜି ସକାଳ ସାଢ଼େ ୮ଟା ସମୟରେ ଲକିଗୁଡା ଗ୍ରାମର ତିନିଭାଇ ପର୍ଶୁ, ତିରୁ ଓ ପରମା କୌଣସି କାମରେ ଏକ ବାଇକ ଯୋଗେ ଇନ୍ଦ୍ରାବତୀ ମାର୍କେଟକୁ ଯାଉଥିଲେ। ଆଉଁଳିଗୁମା ନିକଟରେ ବାଇକଟି ଦ୍ରୁତ ଗତିରେ ଥିବାରୁ ଭାରସାମ୍ୟ ହରେଇ ବିପରୀତ ଦିଗରୁ ଆସୁଥୁବା ଯାତ୍ରୀବାହୀ ଘୋରାଇ ବସ (ଶିବଶ୍ରୀ) ସମ୍ମୁଖରେ ପିଟି ହୋଇଥିବା ଖାତିଗୁଡା ଥାନା ଅଧିକାରୀ ଦୁର୍ଗା ମାଧବ ବାଗ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଥାନା ଅଧିକାରୀ ପହଂଚି ଆହତମାନଙ୍କୁ ଆମ୍ବୁଲାନ୍‌ସ ଯୋଗେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ।

ତେବେ ଗୁରୁତରମାନଙ୍କ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ କରିବା ସହ ଯାତ୍ରୀବାହୀ ବସକୁ ଅଟକ ରଖିଥିଲେ ହେଁ ରିପୋର୍ଟ ଲେଖା ହେବା ସୁଦ୍ଧା ଥାନାରେ ଏବାବଦରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର