କୋକସରା (ଶରତ ରାଉତ): ଧାନ ଖଳାରେ ଖେଳୁଥିବା ବେଳେ ଶନିବାର ମଧ୍ୟାହ୍‌ଣରେ ନିଆଁ ଲାଗି ୩ ଜଣ ନିଷ୍ପାପ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଆମ୍ବପାଣି ଥାନାଞ୍ଚଳର ବିଜମରା ଗାଁରେ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ମହିମ ପଞ୍ଚାୟତର ବିଜମରା ନିବାସୀ ହେମରାଜ ଦିସାରିଙ୍କ ଯାଁଳା ଶିଶୁ କନ୍ୟା ରୋଜି ଓ ଡିଜି (୩.୫ ବର୍ଷ) ଓ ସେମାନଙ୍କ ପିଉସୀ ଝିଅ ରଚନା ରାଉତ (୪ ବର୍ଷ) ଆଜି ମଧ୍ୟାହ୍ନରେ ଧାନ ଖଳାରେ ଖେଳୁଥିଲେ। ଏହି ସମୟରେ ଧାନ ଖଳାରେ ନିଆଁ ଲାଗିଥିଲା। ପିଲାମାନେ ଧାନଗଦା ଭିତରେ ରହି ଯାଇଥିବାରୁ ସେମାନଙ୍କ ଶରୀର ଶତପ୍ରତିଶତ ପୋଡ଼ିଯାଇଥିଲା । ତିନି ଶିଶୁଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତିନି ଭଉଣୀଙ୍କର ମୃତ୍ୟୁ ଘଟିଥିଲା।

publive-image

ଦୁର୍ଘଟଣା ସମୟରେ ହେମରାଜ ବିଲକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କର ସ୍ତ୍ରୀ ଘରେ ରୋଷେଇ କାମରେ ବ୍ୟସ୍ତ ଥିଲେ। ପିଲାମାନେ ଆଜି ଅଙ୍ଗନବାଡ଼ି ଯାଇ ନ ଥିଲେ ବୋଲି ଧାନ ଖଳାରେ ନିଆଁରେ ପୋଡ଼ି ଯାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ସିଡିପିଓ ଜୟନ୍ତୀ ମହାନ୍ତି ପୀଡ଼ିତ ପରିବାରକୁ ଭେଟିଛନ୍ତି। ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଘର ନିକଟରେ ଥିବା ଖଳାରେ ଏଭଳି ଦୁଃଖଦ ଘଟଣା ଘଟିବ ବୋଲି କେହି ଭାବି ନ ଥିଲେ। ଶୀତଦିନ ହେଉଥିବାରୁ ଗ୍ରାମାଞ୍ଚଳର ଚାଷୀମାନେ ରାତିରେ ଧାନ ଖଳା ଜଗିଥାନ୍ତି। ରାତିରେ ହାତୀ ଉପଦ୍ରବ ହେଉ ଅଥବା ଚୋରି ପାଇଁ ଧାନ ଖଳାରେ ନିଆଁଖୁଣ୍ଟା ଜାଳିଥାନ୍ତି। ଶୁକ୍ରବାର ରାତିର ଜଳା ଯାଇଥିବା ନିଆଁ ଆଜିର ଦୁର୍ଘଟଣାର କାରଣ ବୋଲି କୁହାଯାଉଛି।

ମାମୁ ଘରକୁ ଆସିଥିଲା ରଚନା
କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ କୁଣ୍ଡିଗୁଡ଼ା ଗାଁର ଧନୁଜ ରାଉତଙ୍କ ଝିଅ ମାମୁ ଘରକୁ ଆସିଥିଲା। ସେ ଦୁଇ ଭଉଣୀଙ୍କ ସହ ଖେଳୁଥିବା ବେଳେ ଅଗ୍ନିକାଣ୍ଡର ଶିକାର ହୋଇଥିଲା।