ବ୍ରଜରାଜନଗର: ବେଲପାହାଡ଼ ପୁଲିସ ସୋମବାର ଏକ ସାଇବର ଠକ ରୢାକେଟ୍କୁ ଠାବ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ୯ ମୋବାଇଲ୍ ଫୋନ୍, ସାଉଣ୍ଡ ସିଷ୍ଟମ୍ ଓ ନଗଦ ୧୧ ହଜାର ଟଙ୍କା ଜବତ ହୋଇଛି। ଅଭିଯୁକ୍ତମାନେ ଝାଡ଼ଖଣ୍ଡର ବୋଲି ଜଣାପଡ଼ିଛି। ତେବେ ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି ଏସ୍ପି ବିକାଶ ଦାଶ କହିଛନ୍ତି। ରେଳବାଇରେ କାମ କରୁଥିବା ଶିବାଶିଷ କର୍ମକାର ବେଲପାହାଡ଼ ଥାନା ଅନ୍ତର୍ଗତ ଗାନ୍ଧୀ ନଗରରେ ରୁହନ୍ତି। ସେ ସାଇବର ଠକେଇର ଶିକାର ହୋଇ ୩୬ ହଜାର ଟଙ୍କା ହରାଇଥିବା ଗତ ମାସ ୨୪ ତାରିଖରେ ବେଲପାହାଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା। ଏସ୍ଡିପିଓ ଦିଲ୍ଲୀପ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଏହାର ତଦନ୍ତ ଭାର ନେଇଥିଲା। ଏହି ଟିମ୍ ସାଇବର ଠକଙ୍କ ଏହି ଗ୍ୟାଙ୍ଗକୁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଲଖନପୁର ଅଞ୍ଚଳରୁ ସୋମବାର ରାତିରେ ଗିରଫ କରିଥିଲା ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ଗିରିଡ଼ି ଜିଲ୍ଲା ଅହଲ୍ୟାପୁର ରସଞ୍ଜରୀର ଗୁଡୁଲାଲ ରଣା, ପପୁ ରଣା ଓ ଗୋପାଳ ରଣା। ଘଟଣାସ୍ଥଳରୁ ଅନ୍ୟ ଜଣେ ବିର୍ଜୁ ରଣା ଫେରାର ହୋଇଯାଇଥିବା ଏସ୍ପି କହିଛନ୍ତି। ସେମାନଙ୍କଠାରୁ ପୁଲିସ ମୋବାଇଲ ଫୋନ, ନଗଦ ୧୧ ହଜାର ଟଙ୍କା ଜବତ, ଏକ ସାଉଣ୍ଡ୍ ସିଷ୍ଟମ ଜବତ କରିଛି। ସେମାନେ ଏହି କୌଶଳ ତାଙ୍କ ନିଜ ସହର ଗିରିଡ଼ିକୁ ଲାଗି ରହିଥିବା ଯାମତରାରୁ ଶିଖିଥିବା ପୁଲିସକୁ କହିଛନ୍ତି।
ଅଭିଯୁକ୍ତମାନେ ଦିନରେ ବିଭିନ୍ନ ସ୍ଥାନରେ କାମ କରନ୍ତି। ସନ୍ଧ୍ୟାରେ ଘରକୁ ଫେରିବା ପରେ ଅନ୍ଲାଇନ୍ ଠକେଇରେ ଲାଗି ପଡ଼ନ୍ତି। ସେମାନେ ବିଭିନ୍ନ ରାଜ୍ୟର ମୋବାଇଲ ନମ୍ବରର ସିରିଜ୍ ଖୋଜି ଗୁଗୁଲ୍କ୍ରୋମ୍ରୁ ଉପଲବ୍ଧ ବିଭିନ୍ନ ସର୍ଭିସ ଖୋଜିଥାନ୍ତି। ଯେଉଁମାନଙ୍କର ଫୋନ୍ ପେ ସର୍ଭିସ ଉପଲବ୍ଧ ଥିବ ସେମାଙ୍କୁ ଜାଲରେ ଫସାଇବାକୁ ଚେଷ୍ଟା କରିଥାନ୍ତି। ସେମାନେ ତାଙ୍କ ନିକଟକୁ କଲ୍ କରି ୧୯୦୦ ଟଙ୍କା ବୋନସ୍ ପଏଣ୍ଟ କିମ୍ବା କ୍ୟାସ୍ ରିୱାର୍ଡ ଥିବା କହି ଗ୍ରାହକଙ୍କୁ ପ୍ରଲୋଭିତ କରନ୍ତି। ଯେଉଁମାନେ ସେମାନଙ୍କ କଥାକୁ ବିଶ୍ୱାସ କରନ୍ତି ସେମାନେ ଏକ ଲିଙ୍କ୍ ଡାଉନ୍ଲୋଡ୍ କରିବାକୁ କହିଥାନ୍ତି। ଠକମାନେ ୧୯୦୦ ଟଙ୍କା ପେମେଣ୍ଟ କରିବା ଆଳରେ ଟଙ୍କା କାଟି ନେଇଯାନ୍ତି। ଏଥିରେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଅଭିଯୋଗ କଲେ ସେ ଟଙ୍କା ଫେରାଇ ଦେବା କହି ପୁନର୍ବାର ୩୮୦୦ ଟଙ୍କା ଲୁଟି ନେଇଥାନ୍ତି। ପୁଣି ଭୁଲ୍ରେ ହୋଇଯାଇଥିବା କହି ଟଙ୍କା କାଟି ଚାଲିଥାନ୍ତି।
ଅଭିଯୁକ୍ତମାନେ ସେହି ଟଙ୍କାରେ ବିଭିନ୍ନ ଅନ୍ଲାଇନ୍ ସପିଂ ସଂସ୍ଥାରୁ ଜିନିଷ କ୍ରୟ କରିଥାନ୍ତି ବୋଲି ଏସ୍ପି କହିଛନ୍ତି। ଧରାପଡ଼ିଥିବା ସାଇବର୍ ଠକମାନେ ଶିବାଶିଷଙ୍କ ଆକାଉଣ୍ଟ୍ରୁ ଟଙ୍କା କାଟି ଫ୍ଲିପ୍କାର୍ଟରୁ ପାଣି ପମ୍ପ ଅର୍ଡରକୁ କ୍ୟାନ୍ସେଲ କରି ୧୨ ହଜାର ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେଇଥିବା ଏସଡିପିଓ ଶ୍ରୀ ଦାସ କହିଥିଲେ। ଏହି ଠକଙ୍କୁ ଧରିବା ପାଇଁ ଶ୍ରୀ ଦାସଙ୍କ ନେତୃତ୍ୱରେ ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା, ବ୍ରଜରାଜନଗର ଥାନା ଏସ୍ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ, ଝାରସୁଗୁଡ଼ା ସାଇବର ଟିମ୍ ମିଳିତ ଭାବେ କାର୍ଯ୍ୟ କରୁଥିଲେ। ଏସ୍ପିଙ୍କ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଶ୍ରୀ ଦାସ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଏହି ସାଇବର୍ ଠକମାନେ ଗତ ମାସ ୨୨ ତାରିଖ ଅପରାହ୍ଣ ୫ଟା ୧୫ରେ ୭୫୮୬୦୮୭୬୫୫ରେ ଫୋନ୍ କରି ଶିବାଶିଷଙ୍କୁ ଫୋନ୍ ପେରେ ୧୯୦୦ ଟଙ୍କା ପୁରସ୍କୃତ ହୋଇଥିବା କଥା କହି ତାଙ୍କ ଆକାଉଣ୍ଟର୍ରୁ ଲୁଟ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/e33bf95e-6b9b-46ab-8817-9e6cc82f4c63.jpg)