ଟ୍ରକ୍‌-ମ୍ୟାକ୍ସ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ: ୩ ମୃତ, ୭ ଗୁରୁତର

ଉଲୁଣ୍ଡା: ଟ୍ରକ୍‌ ଓ ମ୍ୟାକ୍ସ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ହୋଇଛି। ସୋନପୁରରୁ ସମ୍ବଲପୁର ଦେଇଯାଇଥିବା ରାଜ୍ୟ ରାଜପଥର ପଣ୍ଡକିଟାଲ ଓ ମେଟାକାନୀ ମଧ୍ୟରେ ହୋଇଥିବା ଦୁର୍ଘଟଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ୭ ଜଣ ଗୁରତର ହୋଇଛନ୍ତି। ମୃତକମାନେ ହେଲେ ଉଲୁଣ୍ଡା ଥାନା ଅନ୍ତର୍ଗତ ଖେମାଲୋଏ ଗାଁର ତେଜରାଜ ବାଘ, ଉତ୍ତମ ଡଙ୍ଗରିଆ ଓ ଝାରବାହାଲି ଗାଁର ବାବୁଲାଲ ମହାରଣା। ଆହତମାନେ ହେଲେ ରାନୀପାଲିର ବିଶ୍ୱନାଥ କୁମ୍ଭାର, ସବ୍ୟସାଚୀ ଡୁଙ୍ଗରିଆ, ଖେମାଲୋଏ ଗାଁର ଗୌର ଡୁଙ୍ଗରିଆ, ସୁରେନ୍ଦ୍ର ଗର୍ଡିଆ, ଠାକୁର ଡୁଙ୍ଗରିଆ ବଡାଲିର ଝାଣ୍ଟୁ ବେହେରା ଓ ଛତିଶଗଡ଼ର ଦୟା ମାଲି।

ସୂଚନା ଅନୁସାରେ ମେଟାକାନୀ ନିକଟରେ ଉଲୁଣ୍ଡା ପଟରୁ ସମ୍ବଲପୁର ରାମପୁର ଅଭିମୁଖେ ଯାଉଥିବା ଏକ ପିକ୍‌ଅପକୁ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ଟ୍ରକ୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୮ ଜଣଙ୍କୁ ଗୁରୁତର ଭାବେ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମେଡିକାଲରେ ବାବୁଲାଲକୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାବୁଲାଲ ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ ଭ୍ୟାନ୍‌ର ଡ୍ରାଇଭର ଥିବା ଜଣାଯାଇଛି।

ଦୁର୍ଘଟଣା ସଂପର୍କିତ ସୂଚନା ପାଇ ଉଲୁଣ୍ଡା ପୁଲିସ ଓ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତମାନଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଡାକ୍ତରଖାନା ପଠାଯାଇଛି। ଟ୍ରକର ଚାଳକ ଫେରାର ହୋଇଥିବା ଜଣାଯାଇଛି। ତେବେ ଅନ୍ଧାର ଥିବାରୁ ଟ୍ରକକୁ ରାଜରାସ୍ତାରୁ ଉଦ୍ଧାର କରାଯାଇ ପାରି ନାହିଁ। ଆସନ୍ତାକାଲି ଟ୍ରକକୁ ରାସ୍ତାରୁ ହଟାଯିବ ବୋଲି ପୁଲିସ କହିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର