ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକରେ ମଙ୍ଗଳବାର ବିଳମ୍ବିତ ରାତିରେ ଭିନ୍ନ ଭିନ୍ନ ଦୁଇଟି ଘଟଣାରେ ଦନ୍ତାହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଝିଅ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ବାପା ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମୃତକମାନେ ହେଲେ ଯୁଯୁମୁରା ବ୍ଲକ କେଶାପାଲି ପଞ୍ଚାୟତ ଅନ୍ତର୍ଗତ ଧମା ରେଞ୍ଜ କୋଲଗାଁ ସରପଞ୍ଚ ଉମାକାନ୍ତ ମିର୍ଦ୍ଧାଙ୍କ ବାପା କନ୍ଧ ମିର୍ଦ୍ଧା(୭୦), ମା’ ଉର୍ମିଳା ମିର୍ଦ୍ଧା(୬୫) ଓ ଭାଣିଜୀ ରଶ୍ମିତା ମାଝୀ(୧୨)। ଯୁଯୁମୁରା ପୁଲିସ୍ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେପଟେ, ସଦର ରେଞ୍ଜ ନୂଆବରଙ୍ଗାମାଲ ଗ୍ରାମର କୃପାଳୁ କୁମ୍ଭାରଙ୍କ ଝିଅ ମାନସୀ(୧୦) ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ହାତୀ ତାଙ୍କ ଘର ଭାଙ୍ଗି ଦେବାରୁ ତାଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ତେବେ ଏହି ଘଟଣାରେ କୃପାଳୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ବନ ବିଭାଗର ଟିମ୍ ଉଭୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ପ୍ରାଥମିକ ଅବସ୍ଥାରେ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ଲେଖାଏଁ ଓ ଆହତଙ୍କୁ ୫ ହଜାର ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିଛି। ଅପରପକ୍ଷେ, ଆକ୍ରମଣ ପରେ ଦନ୍ତାହାତୀଟି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛି। ତେଣୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବନବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ହାତୀ ସ୍କ୍ବାଡ୍କୁ ନିୟୋଜିତ କରାଯାଇଛି।
ରେଢ଼ାଖୋଲ ବ୍ଳକ ଗଡ଼ଗଡ଼ବାହାଲ ପଞ୍ଚାୟତ ତେଲିଘନା ଗ୍ରାମର ନଳିନୀ ମାଝୀଙ୍କ ଝିଅ ରଶ୍ମିତା(୧୨)। ୨ ବର୍ଷ ତଳେ ବାପାଙ୍କ ମୃତ୍ୟୁ ପରେ କେଶାପାଲି ଆଦିବାସୀ ମହିଳା ଛାତ୍ରାବାସରେ ରହି ପାଠ ପଢ଼ୁଥିଲେ।
/sambad/media/post_attachments/wp-content/uploads/2020/04/SBP1-300x169.jpg)
ଲକ୍ଡାଉନ୍ ପାଇଁ ଛୁଟି ଘୋଷଣା ହେବା ପରେ ଗତ ସପ୍ତାହରୁ ସେ ଆସି ମାମୁଁ ଉମାକାନ୍ତ ମିର୍ଦ୍ଧାଙ୍କ ଘରେ ରହୁଥିଲେ। ମଙ୍ଗଳବାର ରାତିରେ ଘରେ ଏକାସାଙ୍ଗରେ ସମସ୍ତେ ରାତ୍ରିଭୋଜନ କରିବା ପରେ ଗୋଟିଏ ଘରେ ନାତୁଣୀ ରଶ୍ମିତା, ଅଜା କନ୍ଧ ମିର୍ଦ୍ଧା ଓ ଆଈ ଉର୍ମିଳା ଶୋଇଥିଲେ। ରାତି ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ଏକ ଦନ୍ତା ହାତୀ ସେହି ଘର କାନ୍ଥକୁ ଭାଙ୍ଗି ଦେଇଥିଲା। କାନ୍ଥ ଭୁଶୁଡ଼ି ପଡ଼ିଥିଲା ଓ ଶୋଇଥିବା ଅବସ୍ଥାରେ ଏହି ୩ ଜଣ ଚାପି ହୋଇଯାଇଥିଲେ। ଏହାପରେ ହାତୀ ସେମାନଙ୍କ ଉପରେ ପଡ଼ିଥିବା ଭଙ୍ଗା କାନ୍ଥରେ ଚଢ଼ି ଘର ଭିତରୁ ଧାନ ବସ୍ତା ଦେଇ ଚାଲି ଯାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ରଶ୍ମିତା ଓ ଉର୍ମିଳାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ କନ୍ଧଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।
କେଶାପାଲି ଘଟଣାର ମାତ୍ର ୧ ଘଣ୍ଟା ପରେ ସଦର ରେଞ୍ଜ ନୂଆବରଙ୍ଗାମାଲ ଗ୍ରାମର କୃପାଳୁ କୁମ୍ଭାରଙ୍କ ଘରେ ଦନ୍ତା ହାତୀ ପଶିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଘର ଭିତରେ କୃପାଳୁଙ୍କ ପରିବାର ଲୋକେ ଶୋଇଥିଲେ। ହାତୀ ଶୁଣ୍ଢରେ ଘର ଭାଙ୍ଗିବା ପରେ ଭଙ୍ଗା କାନ୍ଥ ଝିଅ ମାନସୀଙ୍କ ଉପରେ ପଡ଼ିଥିଲା। ଏହି ଘଟଣା ଦେଖି ପରିବାର ଲୋକେ ଚିତ୍କାର କରିବା ପରେ ହାତୀ ଘଟଣାସ୍ଥଳରୁ ଚାଲି ଯାଇଥିଲା। ସୂଚନା ପାଇଁ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ମାନସୀଙ୍କୁ ଉଦ୍ଧାର କରି ଯୁଯୁମୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/SBP.jpg)