ବିଭିନ୍ନ ସ୍ଥାନରେ ବଜ୍ରାଘାତ, ଦଂପତ୍ତି ସମେତ ୩ ମୃତ

ବରଗଡ଼/ବାଲୁଗାଁ: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ରବିବାର ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଶନିବାର ମଧ୍ୟ ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ଏବଂ ବର୍ଷା ହୋଇଥିଲା। ବଜ୍ରପାତ ଯୋଗୁଁ ଦଂପତ୍ତିଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି।

ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ଗାଁରେ ବଜ୍ରପାତ ଯୋଗୁଁ ପତି-ପତ୍ନୀଙ୍କର ମୃତ୍ୟୁ ଘଟିଛି। କୈଳାଶ ବରିହା (୪୫) ଓ କିଶୋରୀ ବରିହା (୩୮)ଙ୍କ ସହ ୧୧ ବର୍ଷର ଝିଅ ମଧ୍ୟ ଶୋଇଥିଲା। ବଜ୍ରପାତ ପରେ ଚାଳଛପର ଘର ଜଳି ଯାଇଥିଲା। ରାତି ପ୍ରାୟ ୧୧ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ରାତି ପାହିଲା ବେଳକୁ ସର୍ଗିବାହାଲ ଗାଁ ସ୍ତବ୍ଧ ପଡ଼ିଯାଇଥିଲା।

ଖୋର୍ଦ୍ଧା ଜିଲ୍ଲାର ନଇରି ଗାଁରେ ଶନିବାର ରାତି ଅଢ଼େଇଟାରେ ବଜ୍ରପାତ ଯୋଗୁଁ ଗାଁର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ପ୍ରତାପ ଘଡ଼େଇ (୩୨ ବର୍ଷ) ଆଜବେଷ୍ଟସ୍‌ ଘରେ ଶୋଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର