ବାଲେଶ୍ୱର ଜିଲ୍ଲାରେ ବଜ୍ରପାତ: ୩ ମହିଳା ମୃତ, ୫ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ବସ୍ତା/ଜଳେଶ୍ୱର: ବିଲରେ ଚାଷ କାମରେ ନିୟୋଜିତ ଥିବା ବେଳେ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ବସ୍ତା ଅଂଚଳରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ପାନ ମାଝି (୪୫) ଓ ଛବି କାଳନ୍ଧି (୩୨)। ଜଳେଶ୍ୱର ଅଂଚଳରେ ବଜ୍ରପାତରେ ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ। ଜଳେଶ୍ୱର ଅଂଚଳରେ ବଜ୍ରପାତ ଯୋଗୁଁ ୨ ଜଣ ମହିଳା ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨ଟା ବେଳକୁ ଜଳେଶ୍ୱର ଓ ବସ୍ତା ସମେତ ବାଲେଶ୍ୱର ଜିଲ୍ଲାର ଅଧିକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା। କିଛି ସ୍ଥାନରେ ବର୍ଷା ୨ ଘଣ୍ଟା ଯାଏଁ ଲାଗି ରହିଥିଲା। ଫଳରେ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିଲା। ବଜ୍ରପାତର ଶିକାର ହୋଇଥିବା ଅନ୍ୟ ୫ ଜଣ ମହିଳାଙ୍କୁ ସ୍ଥାନୀୟ ଲୋକଙ୍କର ଦ୍ୱାରା ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସ୍ତା ବ୍ଲକ୍‌ ଅନ୍ତର୍ଗତ ତଳତାପଣ୍ଡା ଓ ଶାସନ ଗ୍ରାମରେ ବିଲରେ ତଳିପକା କାର୍ଯ୍ୟ କରୁଥିବା ସମୟରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଫଳରେ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ମହିଳା ଗୁରୁତର ହୋଇ ବସ୍ତା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତ ମହିଳା ଦୁଇଜଣ ହେଲେ ବସ୍ତା ଥାନା ଅନ୍ତର୍ଗତ ମଥାନୀ ଗ୍ରାମର ପାନ ମାଝି ଓ ମୟୂରଭଞ୍ଜ ଜିଲ୍ଲା ମୋରୋଡା ଥାନା ଅନ୍ତର୍ଗତ ବ୍ରାହ୍ମଣମାରା ଗ୍ରାମର ଛବି କାଳନ୍ଧି ବୋଲି ହସ୍ପିଟାଲରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର