ଦୁଇଟି ପୃଥକ ଦୁର୍ଘଟଣାରେ ୩ ମୃତ, ଜଣେ ଗୁରୁତର

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଉପକଣ୍ଠରେ ଦୁଇଟି ପୃଥକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି। ସୂଚନାନୁସାରେ, ଆଜି ସକାଳେ ଖୋର୍ଦ୍ଧା ଉପକଣ୍ଠ ପଲା ଗ୍ରାମର ସମ୍ରାଟକେଶରୀ ହରିଚନ୍ଦନ (୫୮) ଓ ଶାନ୍ତନୁ କୁମାର ବଳିଆରସିଂହ(୨୨) ନିଜର ମୋଟର ସାଇକଲ (ଓଡି ୦୨ ଏଏଚ୍‌ ୨୧୬୧)ରେ ସିଆଳିଆ ରାସ୍ତାରେ ବାଜପୁର ଯାଉଥିଲେ ଜାତୀୟ ରାଜପଥ ୧୬ ଅତିକ୍ରମ କରିବା ବେଳେ ପଛପଟରୁ ଏକ ଟ୍ରକ (ଓଡି୦୨ଏଏଫ୍‌ ୨୨୭୩) ତାଙ୍କୁ ଧକ୍କା ଦେଇଥିଲା ଫଳରେ ଉଭୟ ଛିଟିକି ପଡ଼ିଥିଲେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ପରେ ସେମାନଙ୍କୁ ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ରାଟକେଶରୀଙ୍କ ମୃତ୍ୟୁଘଟିଥିଲା। ଏନେଇ ଖଣ୍ଡଗିରି ଥାନା ପକ୍ଷରୁ ମାମଲା ରୁଜୁ କରାଯିବା ସହ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି।

ସେହିଭଳି, ଶିଳ୍ପାଂଚଳ ଫାଣ୍ଡି ନିକଟ ବରୁଣେଇ ଛକ ନିକଟରେ ଅପରାହ୍‌ଣ ସାଢ଼େ ୪ଟାରେ ଅନ୍ୟ ଏକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ସେରଗଡ଼ ଗାଁର ଗଙ୍ଗାଧର ମଲ୍ଲିକ (୩୨) ଜଣେ ଟ୍ରକ ଚାଳକ ସେ ଦୁଇ ଦିନ ପୂର୍ବେ ବେଗୁନିଆ ବ୍ଲକ ସିକୋ-ଖଡ଼ିପଦର ଗାଁକୁ ନିଜ ଶାଳକଙ୍କ ପୁଅର ସ୍ୱନକ୍ଷତ୍ର ଉତ୍ସବକୁ ଆସିଥିଲେ ଆଜି ଫେରିବା ସମୟରେ ନୟାଗଡ଼ ରଣପୁର ପଟିଆ ଗ୍ରାମର ରଂଜିତ ପରିଡ଼ା (୨୫)ଙ୍କୁ ଲିଫ୍‌ଟ ମାଗିଥିଲେ ରଂଜିତଙ୍କ ମୋଟରସାଇକଲ (ଓଡି୦୨ବିଇ୧୫୫୩)ରେ ଉଭୟ ଭୁବନେଶ୍ୱର ଯିବା ବେଳେ ବରୁଣେଇ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଦ୍ରୁତ ଗତିରେ ଚାଲିଯାଇଥିଲା। ଗାଡ଼ିଟି ରଂଜିତଙ୍କ ମୁଣ୍ଡ ଉପର ଦେଇ ଚାଲିଯାଇଥିବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ପରେ ଗୁରୁତର ଅବସ୍ଥାରେ ଗଙ୍ଗାଧରଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା ସେଠାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର କରିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଶିଳ୍ପାଂଚଳ ଫାଣ୍ଡି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର