ବଲାଙ୍ଗୀର: ନୂତନ ଏସ୍‌ପି ଋଷିକେଶ ଖିଲାରୀ ଯୋଗ ଦେଉ ଦେଉ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଅପରାଧୀ। ଟାଉନ ଥାନାରୁ ୧୦୦ ମିଟର ଦୂରରେ ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ଫେରାର ମାରିଥିଲେ। ପୁଲିସ ଏ ନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ମାମଲାରେ ସଂପୃକ୍ତି ସନ୍ଦେହରେ ପୁଲିସ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ୩ ଅଟକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳରୁ ପୁଲିସ ଉଠାଇଥିବା ସୂଚନା ମିଳିଛି। ପୁଲିସ ଏହି ମାମଲାକୁ ଗୁରୁତ୍ବର ସହ ନେଇ ତଦନ୍ତ ଜାରି ରଖିଛି। ଅନ୍ୟପଟେ ହତ୍ୟାର ଶିକାର ଯୁବକ ସରୋଜ ପାଣିଗ୍ରାହୀଙ୍କ ପରିବାର ବର୍ଗ ଓ ପଡ଼ାବାସୀ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଆଜି ଗେଟସରୋବର ପଡ଼ାବାସୀ ଥାନାକୁ ଆସି ଥାନାଧିକାରୀଙ୍କୁ ସାକ୍ଷାତ କରିବା ସହ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏହାସହ ସହରର ଛକ ଛକରେ କଫସିରପ, ନିଶା ଟାବଲାଟ ମିଳୁଛି। ପୁଲିସ ସେସବୁ ଦିଗରେ ପଦକ୍ଷେପ ନେଇ ନିଶା କାରବାରରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଧରୁ ବୋଲି ଦାବି କରିଥିଲେ। ଥାନାଧିକାରୀ ବିଶ୍ୱଜିତ ମନବୋଧ ପୁଲିସ ତତନ୍ତକୁ ତ୍ବରାନ୍ବିତ କରିଛି, ଶୀଘ୍ର ଅପରାଧୀଙ୍କୁ ଧରିବ ବୋଲି ସୂଚନା ଦେବା ପରେ ପଡ଼ାବାସୀ ଥାନାରୁ ଫେରିଥିଲେ।