ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ କରୋନା ସଂକ୍ରମଣ ପରିସ୍ଥିତି ସାଂଘାତିକ ରୂପ ଧାରଣ କରିଛି। ଦିନକ ମଧ୍ୟରେ ଏଠାରେ କରୋନା ପୁଣି ୩ ଜଣଙ୍କ ମୁଣ୍ଡ ନେଇଛି। ମୃତକଙ୍କ ହେଲେ ଦୁଇଜଣ ଯୁବକ ଏବଂ ଅନ୍ୟଜଣେ ମଧ୍ୟ ବୟସ୍କ ବ୍ୟକ୍ତି। ମାତ୍ର କିଛିଘଣ୍ଟା ବ୍ୟବଧାନରେ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। ଖବର ପାଇ ବିଏମସି ସ୍ବର୍ଗରଥ ହସ୍ପିଟାଲରେ ପହଞ୍ଚିଥିଲା। ସେଠାରେ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ହସ୍ତାନ୍ତର କରାଯାଇଥିଲା। ଏହାପରେ ସତ୍ୟନଗର ଶ୍ମଶାନକୁ ମୃତଦେହ ଦାହ ପାଇଁ ନିଆଯାଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ଖମଙ୍ଗଶାସନରେ ଜଣେ ୪୨ ବର୍ଷୀୟ ଯୁବକଙ୍କର ଗତକାଲି ବିଳମ୍ବିତ ରାତିରେ କୋଭିଡ଼ ହସ୍ପିଟାଲରେ ମୃତ୍ୟୁ ହୋଇଟଯାଇଥିଲା। ମୃତ ବ୍ୟକ୍ତି ଜଣକ କଲିକତାରେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଥିଲେ। ଗତ ସପ୍ତାହରେ ସେ ଟ୍ରେନ ଯୋଗେ ଘରକୁ ଫେରିଥିଲେ। ଟ୍ରେନରେ ଆସିବା ସମୟରେ ଅନ୍ୟ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସି ରୋଗାକ୍ରାନ୍ତ ହୋଇଥିବା କୁଯାଯାଉଛି। ବଡ଼ କଥା ହେଉଛି ବ୍ଲକ ପ୍ରଶାସନ ଓ ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ଏନେଇ କୌଣସି ସୂଚନା ନଥିଲା। ଯାହାଫଳରେ ସେ ଟ୍ରେନରୁ ଓହ୍ଲାଇବା ପରେ ସିଧାସଳଖ ଘରକୁ ଆସିଥିଲେ। ତାଙ୍କର କୋଭିଡ଼ ପରୀକ୍ଷା କରାଗଲା ନାହିଁ କିମ୍ବା ତାଙ୍କୁ ସଂଗରୋଧରେ ରଖାଗଲା ନାହିଁ ବୋଲି ଗ୍ରାମବାସୀ ମାନେ ସୂଚନା ପ୍ରଦାନ କରିଛନ୍ତି। ତେଣୁ ଗତ ୪ ଦିନ ତଳେ ଜ୍ବରରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବଂ ସେଠାରେ ତାଙ୍କର ସ୍ବାବ ପରୀକ୍ଷା କରାଇବାରୁ ସେ ପଜିଟିଭ ଚିହ୍ନଟ ହୋଇଥିଲେ।
ପରେ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ହେଲେ ଚିକିତ୍ସାରେ ଡେରି ହୋଇଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ସେହିପରି ସତ୍ୟଭାମାପୁର ପଞ୍ଚାୟତ ଟୋଲକପଡ଼ା ଅଞ୍ଚାୟତରେ ଜଣେ ୩୫ ବର୍ଷୀୟ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ସଂଧ୍ୟାରେ ମୃତ୍ୟୁ ହୋଇଯାଇଛି। ଅନୁରୂପ ଭାବେ ବେଣ୍ଟପୁର ପଞ୍ଚାୟତ ସୁଧଷଡ଼ଙ୍ଗୀ ଗ୍ରାମରେ ଜଣେ ୫୨ ବର୍ଷୀୟ ଅଟୋ ଚାଳକଙ୍କର ମୃତ୍ୟୁ ଘଟିଛି। ଏମାସ ପ୍ରଥମ ସପ୍ତାହରେ ବଇଁଚୁଆ ପଞ୍ଚାୟତ ଅଞ୍ଚଳରେ ଜଣେ ଯୁବ ଔଷଧ ଦୋକାନୀଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଯାଇଥିଲା। ମାସକ ମଧ୍ୟରେ ୪ ଜଣଙ୍କର କରୋନାରେ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି। ସବୁଠାରୁ ବଡ଼ କଥା ହେଉଛି, ବ୍ଲକ ଏବଂ ହସ୍ପିଟାଲ କର୍ତୃପକ୍ଷ ଲୋକଙ୍କୁ ସତର୍କ କରାଇବା ଦିଗରେ କିଛି ବି ପଦକ୍ଷେପ ନେଉନଥିବା ଜଣାପଡ଼ିଛି। କରୋନା ପଜିଟିଭ ଚିହ୍ନଟ ଗ୍ରାମ ସିଲ କରାଯିବାତ ଦୂର କଥା ଅଗ୍ନିଶମ ଶମ ସେବା କେନ୍ଦ୍ର ଗାଡ଼ି ପଠାଇ ସାନିଟାଇଜ କରିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ। ଯାହାଫଳରେ ସମୂହ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଉଛି। ଅନ୍ୟପକ୍ଷରେ ବାଲିଅନ୍ତା ଅଞ୍ଚଳରେ ସଂଗରୋଧରେ ଚିକିତ୍ସାଧୀନ ଥିବା ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ୧୦୧ ବୋଲି ଜଣେ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/corona-aa-1.jpg)