ପେଣ୍ଠ ବେଳାଭୂମିରେ ୩ ମୃତ ଡ଼ଲଫିନ୍‌ ଉଦ୍ଧାର, ଟ୍ରଲର ମାଡ଼ରେ ମୃତ୍ୟୁ ଆଶଙ୍କା

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ପେଣ୍ଠ ବେଳାଭୂମି ନିକଟରେ ଶନିବାର ୩ଟି ମୃତ ଡ଼ଲଫିନ୍‌ ଉଦ୍ଧାର କରାଯାଇଛି। ସମୁଦ୍ରରେ ମାଛ ଧରାଯାଉଥିବା ଟ୍ରଲର ମାଡ଼ରେ ଡଲଫିନ୍‌ଗୁଡ଼ିକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଡଲଫିନ୍‌ ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନବିଭାଗ ଟିମ ପେଣ୍ଠ ବେଳାଭୂମିରେ ପହଂଚିଥିଲା। ଡ଼ଲଫିନ୍‌ଗୁଡିକୁ ବ୍ୟବଛେଦ କରାଯିବା ପରେ ପୋତି ଦିଆଯାଇଛି।

ପେଣ୍ଠ ବେଳାଭୂମିରୁ ଉଦ୍ଧାର ୩ଟି ମୃତ ଡ଼ଲଫିନ୍‌ ଇରାୱାଡି ପ୍ରଜାତିର। ସମସ୍ତ ତିନିଟି ଡ଼ଲଫିନ ମାଈ ବୋଲି ବନ ବିଭାଗର ଟିମ୍‌ ସୂଚନା ଦେଇଛି। ତିନିଟି ଡ଼ଲଫିନ ମଧ୍ୟରୁ ଗୋଟିଏର ଓଜନ ୯୦ କେଜି, ଅନ୍ୟଟି ଦୁଇଟିର ଓଜନ ଯଥାକ୍ରମେ ୪୦ କେଜି ଓ ୨୦ କେଜି। ଟ୍ରଲର ମାଡ଼ରେ ମା’ ଡ଼ଲଫିନ୍‌ ଗୁଡିକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ ଟ୍ରଲର ମାଡ଼ ସମୟରେ ମା’ ଡ଼ଲଫିନ୍‌ଟି ଏକ ଛୁଆ ଜନ୍ମ କରିଛି। ଛୁଆଟି ୯୦ ପ୍ରତିଶତ ବାହାରି ଆସିଥିବା ବେଳେ ୧୦ ପ୍ରତିଶତ ମା’ ପେଟରେ ରହିଛି। ଛୁଆ ମଧ୍ୟ ମୃତ୍ୟୁ ହୋଇଛି। ଅନ୍ୟ ଏକ ୪୦ କେଜି ଓଜନର ଡ଼ଲଫିନ୍‌ ପଚି ଯାଇଥିବା ବେଳେ ଦେହରେ କ୍ଷତ ଚିହ୍ନ ରହିଛି। ତିନିଟି ଡ଼ଲଫିନ୍‌ ଟ୍ରଲର ମାଡ଼ରେ ମୃତ୍ୟୁ ବରଣ କରିବା ପରେ ଜୁଆରରେ ଭାସି ଆସି ପେଣ୍ଠ ବେଳାଭୂମିରେ ଲାଗିଥିଲୋ।

ବିରଳ ଅଲିଭରିଡ଼ଲେ କଇଁଛ ପ୍ରଜନନ ପାଇଁ ନଭେମ୍ବର ୧ରୁ ମଇ ମାସ ୩୧ ତାରିଖ ଯାଏଁ ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଏହା ବାଦ ବର୍ଷକ ବାର ମାସ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମାଛ ଧରା ଓ ଟ୍ରଲର ଚଳାଚଳ ପାଇଁ କଟକଣା ରହିଛି। କଟକଣା ସତ୍ତ୍ୱେ ଶହ ଶହ ଟ୍ରଲର ବେଧଡକ ଭାବେ ନିସିଦ୍ଧାଞ୍ଚଳରେ ମାଛ ମାରୁଛନ୍ତି।

ଟ୍ରଲର ମାଡ଼ରେ ହଜାର ହଜାର ସଂଖ୍ୟାରେ କଇଁଛ ମରୁଥିବା ବେଳେ ଏବେ ବିରଳ ପ୍ରଜାତିର ଡ଼ଲଫିନ୍‌ ମରିବା ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ ଯେ ଗହୀରମଥାରେ ପାଞ୍ଚ ପ୍ରଜାତିର ଡ଼ଲଫିନ ଅଛନ୍ତି। ୨୦୧୨ରେ ପ୍ରଥମ ଥର ପାଇଁ ଡ଼ଲଫିନ୍‌ ଗଣନା କରାଯାଇଥିଲା। ରାଜ୍ୟର ଅନ୍ୟ ଅଞ୍ଚଳଠାରୁ ଗହୀରମଥାରେ ଅଧିକ ଡ଼ଲଫିନ୍‌ ଦେଖିବାକୁ ମିଳିଥିଲା। ଏହା ପରଠାରୁ ଭିତରକନିକାରେ ଆଉ ଡ଼ଲଫିନ୍‌ ଗଣନା କରାଯାଇ ନାହିଁ। ବେଧଡକ ଟ୍ରଲର ଚଳାଚଳ ଓ ଟ୍ରଲର ମାଡ଼ରେ ବିରଳ ଡ଼ଲଫିନ୍‌ଙ୍କ ମୃତ୍ୟୁକୁ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର