ଲକ୍ଷ୍ମୀପୁର: ଗତ ମାର୍ଚ୍ଚ ମାସ ୨୨ ତାରିଖରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ଆକ୍ରମଣ ହୋଇଥିବା ନେଇ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର କାକିରିଗୁମା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ଆକ୍ରମଣକାରୀମାନେ ଫେରାର ଥିବାବେଳେ ମଙ୍ଗଳବାର ସେମାନଙ୍କୁ କାକିରିଗୁମା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଦାମୋଦର ବିହାରି ସୂଚନା ପ୍ରଦାନ କରିଛନ୍ତି। ଗିରଫଙ୍କ ମଧ୍ୟରେ ନଅ ଜଣ ପୁରୁଷ ଓ ତିନି ଜଣ ମହିଳା ସମ୍ପୃକ୍ତ ଥିବା ଜଣା ପଡିଛି।

Advertisment

ପୁଲିସର ସୂଚନା ମୁତାବକ ବିରାଗୁଡା ଗ୍ରାମରେ ଗତ କିଛି ମାସ ତଳେ ଗାଁର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ହେଲେ ଗାଁ ଲୋକେ ଗାଁର ବାମୁଣି ଜାନି(୫୫) ଗୁଣି କରି ମାରି ଦେଇଥିବା ସନ୍ଦେହ କରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସେ ଗୁରୁତ୍ବର ହେବାରୁ ତାଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା। ପରେ ଅବସ୍ତା ସଂଙ୍କଟାପନ୍ନ ହେବାରୁ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

ଏନେଇ ତାଙ୍କ ପୁଅ କାକିରିଗୁମା ଥାନାରେ ୨୫ ତାରିଖରେ ଲିଖିତ ଅଭିଯୋଗ କରିଥିଲା ବେଳେ ଆକ୍ରମଣକାରୀ ମାନେ ସମସ୍ତେ ଫେରାର ହୋଇ ଯାଇଥିଲେ। ଆକ୍ରମଣରେ ସାମିଲ ଥିବା କେତନ ମୁଦୁଲି, ତ୍ରିନାଥ ଦାମି ଚନ୍ଦ୍ର ମୁଦୁଲି, ସିଙ୍ଘ ଦାମି, ଭକ୍ତ ଜାନି, ପ୍ରକାସ ଜାନି, ଭାଗିରଥି ନାୟକ, ମେଘ ଜାନି, ଲେଲି ଜାନି, କାନ୍ଦ୍ରି ଦାମି, ଚୁର୍କି ଜାନି, ଧବେନ ମୁଦୁଲିଙ୍କୁ ଗତକାଲି ପୁଲସ ଗିରଫ କରିଥିଲା। ଅଧିକ ପଚରା ଉଚରା କରିବା ପରେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସରକାରଙ୍କ ତରଫରୁ ବିଭିନ୍ନ ବିଭାଗ ତରଫରୁ ଗୁଣିଗାରେଡିକୁ ନେଇଁ ଅନେକ ସଚେତନ କରାଯାଉଥିଲେ ମଧ୍ୟ କୋରାପୁଟ ଭଳି ପଛୁଆ ଜିଲ୍ଲାରେ କିନ୍ତୁ ସଚେତନତା କୌଣସି ପ୍ରଭାବ ପଡୁନଥିବା ଖୁଲମଖୁଲା ଭାବେ ଜଣାପଡୁଛି।