ଦ୍ବିତୀୟ ଦିନ ଉଚ୍ଛେଦ ହେଲା ୩ ହେକ୍ଟର୍‌ ଘେରି

ମାଛଗାଁ: ବାଲିକୁଦା ବ୍ଲକ୍‌ କୁସୁପୁର ପଞ୍ଚାୟତ ନାଉପାଳ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଦ୍ବିତୀୟ ଦିନ ବି ଉଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିଛି। ଦ୍ୱିତୀୟ ଦିନରେ ୩ ହେକ୍ଟର୍‌ରୁ ଅଧିକ ଜଙ୍ଗଲ ଜମିରେ ଗଢ଼ି ଉଠିଥିବା ବେଆଇନ ଘେରିକୁ ଉଚ୍ଛେଦ କରାଯାଇଛି। ପୂର୍ବରୁ ପ୍ରାୟ ୬୦ଜଣ ଶ୍ରମିକଙ୍କ ସାହାଯ୍ୟରେ ଉଚ୍ଛେଦ କାର୍ଯ୍ୟକ୍ରମ କରାଯାଇଥିବା ବେଳେ  ପୁଣି ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଜେସିବି ସହାୟତାରେ ଘେରି ଭଙ୍ଗାଯାଇଛି। ତା’ଛଡ଼ା, ଯେଉଁ ସବୁ ସ୍ଥାନକୁ ଜେସିବି ମେସିନ୍‌ ପ୍ରବେଶ କରି ନପାରୁଛି ତାହା ଶ୍ରମିକମାନଙ୍କ ଦ୍ୱାରା କରାଯାଉଛି। ସମ୍ପୂର୍ଣ୍ଣ ଉଚ୍ଛେଦ ପକ୍ରିୟା ଶେଷ କରି ବନୀକରଣ କରାଇବାକୁ ପ୍ରଶାସନ ତତ୍ପରତା ଦେଖାଇଥିବା ବେଳେ ବୁଦ୍ଧିଜୀବୀମାନେ ଏହାକୁ ସ୍ୱାଗତ କରିଛନ୍ତି। ତେବେ, ଚିଙ୍ଗୁଡ଼ି ଚାଷ କରି ଜୀବିକା ଉପାର୍ଜନ କରୁଥିବା ଚାଷୀଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବୀମାନେ ଅନୁରୋଧ କରିଛନ୍ତି। କାରଣ, ଏହି ସରକାରୀ ଜଙ୍ଗଲ ଜମି ଉପରେ ସେମାନେ ଘେରି କରି ଗତ ୬୦ ବର୍ଷରୁ ଅଧିକ ସମୟରୁ ପରିବାର ଚଳାଉଛନ୍ତି।

ଏହି ଘେରିରୁ କିଛି ଲୋକ ବ୍ୟବସାୟ କରି ରୋଜଗାରକ୍ଷମ ହେଉଥିବା ବେଳେ ଅନ୍ୟ କିଛି ଶ୍ରମିକ ଭାବରେ କାର୍ଯ୍ୟ କରି ବେଶ୍‌ କିଛି ଅର୍ଥ ଉପାର୍ଜନ କରୁଥିଲେ। ତେଣୁ, ସେମାନଙ୍କୁ ଥଇଥାନ କରିବା ପାଇଁ ସରକାର ବ୍ୟବସ୍ଥା କରିବାର ଦରକାର ବୋଲି ଦାବି ଉଠିଛି। ଗତକାଲି ଭଳି ଆଜି ମଧ୍ୟ ଶୃଙ୍ଖଳାର ସହ ଉଚ୍ଛେଦ କାର୍ଯ୍ୟକ୍ରମ ହୋଇଥିବା ରାଜନଗର ବନଖଣ୍ଡ ଉପ-ଅଧିକାରୀ ଅଧୀର କୁମାର ବେହେରା ସୂଚନା ଦେଇଛନ୍ତି। ଏଥିପାଇଁ ସେ ଚାଷୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଉଚ୍ଛେଦ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଏଭଳି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଉଚ୍ଛେଦ କାର୍ଯ୍ୟକ୍ରମରେ ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ, ଜଗତସିଂହପୁର ଏସ୍‌ଡିପିଓ ରମେଶ ଚନ୍ଦ୍ର ସିଂ, ଜଗତସିଂହପୁର ଅତିରିକ୍ତ ତହସିଲଦାର, ବାଲିକୁଦା ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ, ଅନନ୍ତପୁର ଫାଣ୍ଡି ଅଧିକାରୀ ଅନିରୁଦ୍ଧ ନାୟକ, ବନ୍ଦର ବନ ଅଧିକାରୀ ମଙ୍ଗଳ ହେମ୍ବ୍ରମ୍‌, କୁଜଙ୍ଗ ବନ ଅଧିକାରୀ, ଆର୍‌.ଆଇ ଅରୁଣ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର