ପଞ୍ଚାୟତ ନିର୍ବାଚନ, ପ୍ରଥମ ଦିନରେ ୩୨୫ ନାମାଙ୍କନ ପତ୍ର ଦାଖଲ

ଖୋର୍ଦ୍ଧା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ, ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ବିଭିନ୍ନ ବ୍ଳକରେ ମୋଟ ୨୭୮ ୱାର୍ଡ଼ ସଭ୍ୟ, ୩୧ ସରପଞ୍ଚ, ୧୫ ସମିତି ସଭ୍ୟ ଓ ଜଣେ ଜିଲ୍ଲା ପରିଷଦ ସଭ୍ୟ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଧାରିତ ସମୟରେ ଆଜି ଠାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ଼ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ୨୧ ତାରିଖ ଯାଏଁ ଚାଲିବ। ଏଥିପାଇଁ, ଖୋର୍ଦ୍ଧା ବ୍ଲକ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କରୋନା କଟକଣା ହେତୁ ସମର୍ଥକ କିମ୍ବା କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଛଡ଼ା ଯାଇନଥିଲା। ପ୍ରାର୍ଥୀମାନେ ନିଜର ଜଣେ ସମର୍ଥକଙ୍କ ସହ କାର୍ଯ୍ୟାଳୟକୁ ଯାଇ ନାମାଙ୍କନପତ୍ର ଦାଖଲ କରି ଫେରିଥିଲେ। ଆଜି ପ୍ରଥମ ଦିନରେ, ଖୋର୍ଦ୍ଧା ଜିଲ୍ଲାରେ, ମୋଟ ୨୭୮ ୱାର୍ଡ଼ ସଭ୍ୟ, ୩୧ ସରପଞ୍ଚ, ୧୫ ସମିତି ସଭ୍ୟ ଓ ଜଣେ ଜିଲ୍ଲା ପରିଷଦ ସଭ୍ୟ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ୱାର୍ଡ଼ସଭ୍ୟଙ୍କ ମଧ୍ୟରୁ ସର୍ବାଧିକ ଟାଙ୍ଗୀ ବ୍ଲକରେ ୪୬ଜଣ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବାଣପୁରରୁ ସର୍ବନିମ୍ନ ୨ଜଣ ଦାଖଲ କରିଛନ୍ତି।

ସେହିଭଳି ବୋଲଗଡ଼ରୁ ୩୭, ଜଟଣୀରୁ ୨୧, ବେଗୁନିଆରୁ ୩୭, ଭୁବନେଶ୍ୱରରୁ ୩୮, ଚିଲିକାରୁ ୭, ବାଲିଅନ୍ତାରୁ ୩୨, ଖୋର୍ଦ୍ଧାରୁ ୩୦, ବାଲିପାଟଣାରୁ ୨୮ଜଣ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସରପଞ୍ଚ ପଦବୀ ପାଇଁ ବେଗୁନିଆରୁ ସର୍ବାଧିକ ୧୧ଜଣ ଦାଖଲ କରିଥିବା ବେଳେ ବାଣପୁରରୁ କେହି ଦାଖଲ କରିନାହାଁନ୍ତି। ସରପଞ୍ଚ ପଦବୀ ପାଇଁ ବୋଲଗଡ଼ରୁ ୩, ଜଟଣୀ ଓ ବାଲିଅନ୍ତାରୁ ଜଣେ ଲେଖାଏଁ, ଭୁବନେଶ୍ୱର ବ୍ଲକ, ଚିଲିକା, ଖୋର୍ଦ୍ଧାରୁ ଦୁଇଜଣ ଲେଖାଏଁ, ବାଲିପାଟଣାରୁ ୬, ଟାଙ୍ଗୀରୁ ୩ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପଞ୍ଚାୟତ ସମିତି ସଭ୍ୟ ନିମନ୍ତେ ଜଟଣୀରୁ ୨, ବେଗୁନିଆରୁ ୨, ଭୁବନେଶ୍ୱରରୁ ୪, ଟାଙ୍ଗୀରୁ ୪, ବାଲିପାଟଣାରୁ ୨ ଓ ଖୋର୍ଦ୍ଧାରୁ ଜଣେ ନାମାଙ୍କନପତ୍ର ଦାଖଲ କରିଥିବା ଜଣାଯାଇଛି। ତେବେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୁବନେଶ୍ୱର ବ୍ଲକରୁ ଜଣେ ମାତ୍ର ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଅନ୍ୟ କୌଣସି ବ୍ଲକରୁ ଏଯାଏଁ ଦାଖଲ ହୋଇନଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାଯାଇଛି।

ସମ୍ବନ୍ଧିତ ଖବର