ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ଗୁମ୍ଫାରେ ବୁଲି ଫଟୋ ଉଠାଇବା କାଳ ହେଲା: ମହୁମାଛି ଆକ୍ରମଣରେ ୩ ଆହତ, ଜଣେ ଗୁରୁତର

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦ୍ୱାରଶୁଣି ଘାଟିରେ ଥିବା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ଗୁମ୍ଫା ବୁଲି ଫଟୋ ଉଠାଉ ଥିବା ବେଳେ ମହୁମାଛି ଆକ୍ରମଣରେ ତିନି ଜଣ ଆହତ ଓ ଜଣେ ଗୁରୁତର ହୋଇଛନ୍ତି। ମା’ ଦ୍ଵାରଶୁଣୀ ପୀଠ ପଛପଟେ ଥିବା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ଗୁମ୍ଫା ସହିତ ପାହାଡ ଉପରେ ରହି ମନୋରମ ଦୃଶ୍ୟ ସୁଟିଙ୍ଗ ସମୟରେ ବଣୁଆ ମହୁ ମାଛି ଆକ୍ରମଣ କରିଥିଲେ। ଘାଟିକୁ ଆସିଥିବା ୬ଜଣ ସାଙ୍ଗଙ୍କ ମଧ୍ୟରୁ ତିନି ଜଣ ଆହତ ହୋଇ ପଳାଇ ଆସିଥିବା ବେଳେ ଜଣେ ଯୁବକ ଘଟଣାସ୍ଥଳରେ ରହି ଯାଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କିଛି ସମୟ ନିରୁପାୟ ହୋଇ ଶେଷରେ ବନବିଭାଗର ସାହାଯ୍ୟ ମାଗିଥିଲା।

ବନବିଭାଗ କିଛି ସାହାଯ୍ୟ ନ କରିବାରୁ ସାହସ ସଂଚୟ କରି ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରାୟ ପାହାଡର ୨୦୦ ଫୁଟ ଉପରୁ ଜଣେ ଯୁବକଙ୍କୁ ଉଦ୍ଧାର କରିଥିଲେ। ଝାରପୋଖରିଆ ଅଂଚଳର ଗୁରୁତର ଅଭିଷେକ ମଣ୍ଡଳଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ବାରିପଦା ଅଭିଷେକଙ୍କୁ ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ତିନି ଜଣ ଆହତ ଅବସ୍ଥାରେ ଝାରପୋଖରିଆ ଥାନା ଅନ୍ତର୍ଗତ ଶୀର୍ଷା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସମସ୍ତ ଯୁବକ ସ୍ଥାନୀୟ ଇନଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର