ଲକ୍ଷ୍ମୀପ୍ରସାଦ: କପା ତୋଳି ସାରି ଟ୍ରାକ୍ଟରରେ ବସି ଘରକୁ ଫେରିବା ବାଟରେ ମହିଳାମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି। ବୌଦ୍ଧ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ପଞ୍ଚାୟତ କୃଷ୍ଣପାଲି ଛକଠାରେ ଟ୍ରାକ୍ଟରଟି ଓଲଟିପଡ଼ିଛି। ପ୍ରାୟ ୫୦ ଜଣ ମହିଳା ଓ ଶିଶୁ ଶ୍ରମିକଙ୍କୁ ନେଇ ଫେରୁଥିବା ସମୟରେ ଟ୍ରାକ୍ଟର ଓଲଟିବାରୁ ୨ ଜଣ ମହିଳା ଓ ଜଣେ ଶିଶୁ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ବଡ଼ମାଳ ଗ୍ରାମର ବେଲାରୀ ଭୋଇ (୪୫), ବଡ଼ଖଲିଗାଁ ଗ୍ରାମର କମଳା ସାହୁ (୫୬) ଓ ଶ୍ରୀମତୀ ସାହୁ (୧୩)। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ବଡ଼ଖାଲିଗାଁ, ବଡ଼ମାଳ, ଖମାରିପଡା ଗ୍ରାମର ୫୦ରୁ ଊର୍ଦ୍ଧ୍ବ ମହିଳା ଓ ଶିଶୁ ଏକ ମହିନ୍ଦ୍ରା ଟ୍ରାକ୍ଟର (ଏପି ୨୭ ବିଏଚ ୩୨୫୯)ରେ ବଘିଆପଡା ଫାଣ୍ଡି ଖଜୁରୀପଡା ପଞ୍ଚାୟତ ଗନ୍ଦିସର ଅଞ୍ଚଳରୁ ଜଙ୍ଗଲ ଜମିରେ କରାଯାଇଥିବା କପା ତୋଳିବା ପାଇଁ ଯାଇ ସନ୍ଧ୍ୟା ୭ଟାରେ ଫେରୁଥିଲେ। ବାଟରେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଚାଳକ ଏକ ତାଳ ଗଛ ପାର୍ଶ୍ୱରେ ଥିବା ଏକ ଡ୍ରେନ ଭିତରକୁ ଟ୍ରାକ୍ଟର ନେବାରୁ ଦୁର୍ଘଟଣା ଘଟିଥିଲା। ଫଳରେ ଟ୍ରାକ୍ଟରରେ ଥିବା ମହିଳାମାନେ ଛିଟିକି ପଡ଼ିଥିଲେ। ଗାଡ଼ିରୁ ଛିଟିକି ପଡ଼ିଥିବା ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ଉଦ୍ଧାର କରିଥିଲେ।
ଖବର ପାଇଁ ଆନ୍ଧ୍ର କପା ମାଲିକ ଗୁରୁତର ମହିଳାମାନଙ୍କୁ ଡାକ୍ତରଖାନା ନେଇଥିବା ବେଳେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ହୋଇଥିବା ମହିଳାଙ୍କୁ ବୌଦ୍ଧ ଡାକ୍ତରଖାନା ନେଇଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/IMG_20230128_190421.jpg)